ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି, ମାନସ ମନ୍ଥନରେ ରାଜ୍ୟ ପ୍ରଭାରୀ
ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜ୍ୟ ବିଜେପିରେ ତତ୍ପରତା ବଢ଼ିଛି। ଶାସନକୁ ଆସିବା ପରେ ପ୍ରଥମ ବଡ଼ ନିର୍ବାଚନୀ ପରୀକ୍ଷାର ସାମ୍ନା କରିବାକୁ ଯାଉଥିବା ଦଳ ଏବେଠାରୁ ସଂଗଠନକୁ ସଜାଡ଼ିବା ସହ ବିଜୟ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛି।
ଦ୍ୱିତୀୟ ଥର ପାଇଁ ଓଡ଼ିଶା ବିଜେପିର ରାଜ୍ୟ ପ୍ରଭାରୀ ଦାୟିତ୍ୱ ନେଇଥିବା ଡି. ପୁରନ୍ଦେଶ୍ୱରୀ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତା ଓ କର୍ମୀଙ୍କ ସହ ନିର୍ବାଚନୀ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି।
ଶନିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ତାଙ୍କର ମାରାଥନ୍ ବୈଠକ ଆରମ୍ଭ ହୋଇଥିଲା। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀମଣ୍ଡଳର ସଦସ୍ୟ ଏବଂ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା ହୋଇଥିଲା।
ବୈଠକରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରାକ୍-ନିର୍ବାଚନୀ ପ୍ରସ୍ତୁତି, ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ଏବଂ ନେତା-କର୍ମୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ବିଜୟ ପାଇଁ ତିଆରି ହେଉଛି ରଣନୀତି
ନିର୍ବାଚନକୁ ଆଖି ଆଗରେ ରଖି ଦଳର ଦୁର୍ବଳତା ଓ ଶକ୍ତିକୁ ନେଇ ମଧ୍ୟ ଆଲୋଚନା ହୋଇଛି। ତୃଣମୂଳସ୍ତରରେ ବିଜେପିର ଉପସ୍ଥିତିକୁ ଆହୁରି ମଜବୁତ କରିବା ସହ ଦଳୀୟ ନେତାଙ୍କ ମନୋଭାବ ଓ ସଂଗଠନର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରଭାରୀ ତଥ୍ୟ ନେଇଛନ୍ତି।
ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଏବେଠାରୁ ନିର୍ଦ୍ଦିଷ୍ଟ ଖସଡ଼ା ପ୍ରସ୍ତୁତ କରାଯାଉଥିବା ବେଳେ ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ଦଳର ପ୍ରମୁଖ ଲକ୍ଷ୍ୟ ବୋଲି ଡି. ପୁରନ୍ଦେଶ୍ୱରୀ କହିଛନ୍ତି।
ସୂଚନାନୁସାରେ, ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ଏପଟେ ଶାସକ ବିଜେପି ସହ ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ନିଜ ନିଜ ସଂଗଠନକୁ ସଜାଡ଼ିବା ଏବଂ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
