Spread the love

ପରିବେଶ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ: ଆରମ୍ଭ ହେଲା “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନର ସ୍କୁଲ ଆକ୍ସନ୍ ଚ୍ୟାଲେଞ୍ଜ”

 

ଅନୁଗୋଳ, ୦୯.୧୦: ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଏକ ଅଭିନବ ଅଭିଯାନ “ପ୍ଲାଷ୍ଟିକ୍ ଟୁ ପର୍ପୋଜ: ୧୦୦ ଦିନିଆ ସ୍କୁଲ ଆକ୍ସନ୍ ଚ୍ୟାଲେଞ୍ଜ” ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ମହତ ପ୍ରୟାସରେ ଜିଲ୍ଲାର ସମସ୍ତ ୧୬୩ଟି ଘରୋଇ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀ ସିଧାସଳଖ ଯୋଡ଼ି ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ଜିଲ୍ଲାର ୧୫,୦୦୦ ପରିବାର ଏହି ସ୍ୱଚ୍ଛତା ସଂକଳ୍ପ ସହ ସାମିଲ ହୋଇ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଦିଗରେ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।


ଏହି ୧୦୦ ଦିନିଆ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ “ପ୍ଲାଷ୍ଟିକ୍ ଆକ୍ସନ୍ ଟିମ୍ (PAT)” ଗଠନ କରାଯାଉଛି, ଯାହା ଜଣେ ନୋଡାଲ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ। ସମସ୍ତ କାର୍ଯ୍ୟକ୍ରମର ବିଧିବଦ୍ଧ ଡକ୍ୟୁମେଣ୍ଟେସନ୍ ସୁନିଶ୍ଚିତ କରାଯିବା ସହ ସମଗ୍ର ଅଭିଯାନକୁ ଚାରୋଟି ପୃଥକ ପର୍ଯ୍ୟାୟରେ ପରିଚାଳିତ କରାଯିବ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ବ୍ୟବହାରର ‘ହ୍ରାସ (Reduce), ପୁନଃବ୍ୟବହାର (Reuse) ଏବଂ ପୁନଃଚକ୍ରଣ (Recycle)’ ଅର୍ଥାତ୍ 3R ନୀତିକୁ ପିଲାମାନଙ୍କ ଦୈନନ୍ଦିନ ଜୀବନଶୈଳୀରେ ଅଭ୍ୟାସରେ ପରିଣତ କରିବା, ଯାହା ଦ୍ୱାରା ପ୍ଲାଷ୍ଟିକ୍ ପରିବେଶ ପାଇଁ ବୋଝ ନହୋଇ ଏକ ନୂତନ ସୁଯୋଗରେ ରୂପାନ୍ତରିତ ହୋଇପାରିବ।ଏହି ସ୍ୱଚ୍ଛତା ଚ୍ୟାଲେଞ୍ଜରେ ଉଲ୍ଲେଖନୀୟ ଅବଦାନ ଏବଂ ସକ୍ରିୟ ଭାଗିଦାରୀ ପାଇଁ ଶ୍ରେଷ୍ଠ କୃତି ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପୁରସ୍କାର ଓ ସ୍ୱୀକୃତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *