ପାଠପଢ଼ା ପଛ, ସରକାରୀ ବ୍ୟବସ୍ଥା ଆଗ : ପାଠପଢ଼ା ଚୂଲିକୁ ଯାଉ
ଜନଗଣନା ଠାରୁ ଆଧାରକାର୍ଡ଼ ସବୁଠି ନିୟୋଜିତ
ଅଣଶିକ୍ଷା କାର୍ଯ୍ୟରେ ଅବହେଳା କାର୍ଯ୍ୟାନୁଷ୍ଠାନ ଭୟ
ତାଳଚେର, ୦୧/୧୧ ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱଦେବା ପାଇଁ କେଜି ଠାରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ ହୋଡ଼ିଙ୍ଗ, ବିଜ୍ଞାପନ, ପଥପ୍ରାନ୍ତ ସଭାକରି ଶିକ୍ଷାର ବୃଦ୍ଧି କଥା କହୁଥିବା ବେଳେ ବାସ୍ତବ ପକ୍ଷେ ଏହା କେତେ କାର୍ଯ୍ୟକାରୀ ହେଉଛି, ଜଣେ ସ୍କୁଲର କାର୍ଯ୍ୟ ଶିକ୍ଷକ ହିଁ କହି ପାରିବ । ସ୍କୁଲରେ ଆବଶ୍ୟକ ସ୍ଥଳେ ଶିକ୍ଷକ ଅଭାବ ରହୁଥିବା ବେଳେ ସରକାରୀ ବ୍ୟବସ୍ଥା ଯଥା- ଜନଗଣନା, ଭୋଟରକାର୍ଡ଼ ସଂଶୋଧନ, ମଧ୍ୟାନ୍ନ ଭୋଜନ ହିସାବ ଠାରୁ ଆରମ୍ଭକରି କୁର୍ମି ବଟିକା ବଂଟନରେ ନିୟୋଜିତ ହେଉଛନ୍ତି । ଏପରିକି, ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ପରିବର୍ତେ ବିଭିନ୍ନ ଆପ୍ରେ ଘାଂଟି ହେଉଛନ୍ତି ପ୍ରାଥମିକ ଶିକ୍ଷକ, ଡ଼ିଜିଟାଲ ତଥ୍ୟ ଅପଲୋଡ଼ ଓ ଅନଲାଇନ୍ କାର୍ଯ୍ୟରେ ବିତୁଛି ଶିକ୍ଷକଙ୍କ ଅଧିକାଂଶ ସମୟ । ଦିକ୍ଷା, ନିପୁନ ଓଡ଼ିଶା, ୟୁଡ଼ାଇସ୍, ପ୍ରଶସ୍ତ, ଏସଏଚଭିଆର, ଉଲ୍ଲାସ ବିଏଲଓ ଭଳି କାର୍ଯ୍ୟ କରୁଥିବା ବେଳେ ଆଧାରକାର୍ଡ଼, ଜାତି ସାର୍ଟିଫିକେଟ୍, ସ୍କୁଲ ଜମିପଟ୍ଟା ଓ ଏବେ ଏସଆଇଆର କାମରେ ଶିକ୍ଷକ ମାନଙ୍କ ଭୂମିକା ଅତି ଗୁରୁତ୍ୱପର୍ଣ୍ଣ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ଯଦି ଏଥିରେ ଖିଲାପ ହେଲା ଶିକ୍ଷକଙ୍କ ଚାକିରୀ ଯିବା ସୁନିଶ୍ଚିତ ବୋଲି ଶିକ୍ଷକମାନେ ମତପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କୁ କେତେ ବେଳେ ପାଠପଢ଼ାଇବେ ତାକୁ ନେଇ ଏବେ ଚିନ୍ତାରେ ଶିକ୍ଷକ, ଶିକ୍ଷୟତ୍ରୀ । ଶିକ୍ଷାର ଡ଼ିଜିଟାଲ କରଣ ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଡ଼ିଜିଟାଲ ବ୍ୟବସ୍ଥା ଶିକ୍ଷାଦାନକୁ ସହଜ କରିବା ପରିବର୍ତେ ଯଦି ଶିକ୍ଷକଙ୍କ ପାଇଁ ଅତିରିକ୍ତ ବୋଝର କାରଣ ହୁଏ ତେବେ ଏହାର ଉଦ୍ଦେଶ୍ୟ ନେଇ ପୁର୍ନବିଚାର କରିବା ଆବଶ୍ୟକ । ବର୍ତମାନ ସ୍କୁଲରେ ଛାତ୍ରଛାତ୍ରୀ ଅନୁଯାୟୀ ଶିକ୍ଷକ, ଶିକ୍ଷୟତ୍ରୀ ସଂଖ୍ୟା କମ ରହୁଥିବାରୁ ଏସବୁ ବୋଝକୁ କିପରି କରିବେ ଓ କେତେବେଳେ କରିବେ ତାକୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ ଏବେ ଚାପରେ ରହିଥିବା କୁହାଯାଉଛି । ଅପରପକ୍ଷେ ବେସରକାରୀ ସ୍କୁଲ ଗୁଡ଼ିକରେ ପ୍ରଚୁର ଶିକ୍ଷକ ସହିତ ଶିକ୍ଷାଦାନ ଉପରେ କେବଳ ଗୁରୁତ୍ୱାରୋପ ଦେଇ ଶିକ୍ଷାର ମାନ ବୃଦ୍ଧି କରୁଥିବା ବେଳେ ଏହାକୁ ଦୃଷ୍ଟି ରଖି ସରକାରୀ ସ୍କୁଲ ଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଉ । ଶିକ୍ଷକ, ଶିକ୍ଷୟତୀମାନଙ୍କୁ ବାହାର କାର୍ଯ୍ୟ କରିବାକୁୁ ଅଧିକ ଗୁରୁତ୍ୱପ୍ରଦାନ କରାଯାଉଥିବାରୁ ଶିକ୍ଷାରମାନ ସରକାରୀ ସ୍କୁଲ ଗୁଡ଼ିକରେ କମିବା ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଏହା ଅଭିଯୋଗ କରିବା ସହିତ ତୁରନ୍ତ ରାଜ୍ୟ ସରକାର ଆବଶ୍ୟକ ଶିକ୍ଷକ, ସ୍କୁଲ ପାଇଁ ଭିତିଭୂମି, ଉତମ ପରିବେଶ ଯୋଗାଇ ଦେବାସହ ଏହି ଶିକ୍ଷକଙ୍କ ଉପରୁ ଅଣଶିକ୍ଷା ଚାପକୁ ହଟାଉ ଯାଉ ବୋଲି ଦାବି ହେଉଛି ।
