### ପୁଣି ରକ୍ତରଞ୍ଜିତ ୫୫ ନମ୍ବର ଜାତୀୟ ରାଜପଥ! ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ
ଖାଲଖମା ରାସ୍ତା ଓ ଅମାନିଆ ଗାଡ଼ି ଚାଳନା ନେଉଛି ଜୀବନ; ଗଡ଼ ବୁଢ଼ାପଙ୍କ ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା
ଅନୁଗୋଳ: ପୁଣି ରକ୍ତରଞ୍ଜିତ ହୋଇଛି ୫୫ ନମ୍ବର ଜାତୀୟ ରାଜପଥ। ରାସ୍ତାର ଖାଲଖମା ଓ ଯାନବାହନର ଅମାନିଆ ଚାଳନା ଯୋଗୁଁ ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢ଼ାପଙ୍କ ଗ୍ରାମ ନିକଟରେ ଜଣେ ଯୁବ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଗଡ଼ ବୁଢ଼ାପଙ୍କ ଗ୍ରାମର ରାହୁଲ ମହାନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ରାହୁଲ କୌଣସି କାମରେ କଣ୍ଟାବଣିଆ ଥାନା ଛକକୁ ଯାଇଥିଲେ। କାମ ସାରି ନିଜ ବାଇକ୍ରେ ଘରକୁ ଫେରୁଥିବା ସମୟରେ ବୁଢ଼ାପଙ୍କ ଗ୍ରାମ ଗେଟ୍ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, ଟ୍ରକ୍ଟି ରାହୁଲଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୋଲିସ ମୃତଦେହକୁ ଜବତ କରି ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ରାହୁଲଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମୁଖ୍ୟଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରିଛି।
ବାରମ୍ବାର ଦୁର୍ଘଟଣା ଓ ମୃତ୍ୟୁ ଘଟଣାକୁ ନେଇ ୫୫ ନମ୍ବର ଜାତୀୟ ରାଜପଥର ସୁରକ୍ଷା, ରାସ୍ତା ମରାମତି ଓ ଯାନବାହନ ଚଳାଚଳ ନିୟନ୍ତ୍ରଣ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
