Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ଗସ୍ତରେ ସାଇପ୍ରସରେ ପହଞ୍ଚିଛନ୍ତି। ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ବିମାନବନ୍ଦରରେ ରେଡ କାର୍ପେଟ ବିଛାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ସାଇପ୍ରସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସର ରାଷ୍ଟ୍ରପତିଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ମୋଦୀ ସାଇପ୍ରସରେ ତାଙ୍କ ସ୍ୱାଗତର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଓ ଲେଖିଛନ୍ତି ଯେ, ଏହି ଗସ୍ତ ଭାରତ-ସାଇପ୍ରସ ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ଗତି ପ୍ରଦାନ କରିବ, ବିଶେଷକରି ବାଣିଜ୍ୟ, ନିବେଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ।

ମୋଦୀ ସାଇପ୍ରସର ଲିମାସୋଲରେ ଭାରତୀୟଙ୍କୁ ମଧ୍ୟ ଭେଟିଥିଲେ। ଏନେଇ ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ମୁଁ ଭାରତୀୟ ସମ୍ପ୍ରଦାୟକୁ ଏହି ସ୍ନେହ ପାଇଁ ଧନ୍ୟବାଦ ଜଣାଉଛି। ଆଗାମୀ ସମୟରେ ଭାରତ ସାଇପ୍ରସ ସହିତ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ କାର୍ଯ୍ୟ ଜାରି ରଖିବ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ମୋଦୀ ଏବଂ ସାଇପ୍ରସ ରାଷ୍ଟ୍ରପତିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୋଦୀ କହିଥିଲେ ଯେ- ସାଇପ୍ରସରେ ଅନେକ ଭାରତୀୟ କମ୍ପାନୀ ଅଛନ୍ତି। ଏହାକୁ ୟୁରୋପର ପ୍ରବେଶ ଦ୍ୱାର ଭାବରେ ଦେଖାଯାଏ। ଏହା ଆମର ବିଶ୍ୱସ୍ତ ସହଯୋଗୀ। ଆଜି ପାରସ୍ପରିକ ବାଣିଜ୍ୟ ୧୫୦ ମିଲିୟନ ଡଲାରରେ ପହଞ୍ଚିଛି, କିନ୍ତୁ ଆମ ସମ୍ପର୍କର ବାସ୍ତବିକ କ୍ଷମତା ଏହାଠାରୁ ବହୁତ ଅଧିକ।

ସୂଚନାଥାଉକି, ସାଇପ୍ରସ ପରେ ସେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ G-7 ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାର କନାନାସ୍କିସ୍ ଯିବେ। G-7 ସମ୍ମିଳନୀ ପରେ, ମୋଦୀ କ୍ରୋଏସିଆ ଗସ୍ତ କରିବେ,ଯେଉଁଠାରେ ସେ ରାଷ୍ଟ୍ରପତି ଜୋରାନ ମିଲାନୋଭିକ୍ ଏବଂ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ୍ ଙ୍କୁ ଭେଟିବେ।

Leave a Reply

Your email address will not be published. Required fields are marked *