Spread the love

ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତର ପାଟଣାସାହିରେ ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଶାଶୂଘରେ ଜଣେ ବିବାହିତା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ବାପଘର ପରିବାର ପକ୍ଷରୁ ଏହାକୁ ଯୌତୁକ ଜନିତ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ ଅଣାଯାଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଅରା ଗ୍ରାମର ସତ୍ୟବାନ ପୃଷ୍ଟିଙ୍କ ଝିଅ ବିଶ୍ୱରୂପା ପୃଷ୍ଟି।

​ପ୍ରାପ୍ତ ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ବିଶ୍ୱରୂପା ନୂଆହତା ପାଟଣାସାହିର ରାଜେଶ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ସବୁକିଛି ସ୍ୱାଭାବିକ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଯୌତୁକ ଓ ଧନସମ୍ପତ୍ତିକୁ ନେଇ ଶାଶୂଘର ପକ୍ଷରୁ ତାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଥିଲା। ଏପରିକି ଏହି ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଏକାଧିକ ଥର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା।

​ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ଦିନ ତଳେ ମଧ୍ୟ ବିଶ୍ୱରୂପାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଏବଂ ଗତକାଲି ଧନସମ୍ପତ୍ତି ପାଇଁ ମାରପିଟ କରି ତାଙ୍କୁ ହତ୍ୟା କରାଯାଇଛି। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ କପଡ଼ାରେ ଫାଶୀ ଲଗାଇ ଝୁଲାଇ ଦିଆଯାଇଥିବା ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଅନୁଗୋଳ ଏସଡିପିଓ ଓ ବଅଁରପାଳ ଥାନା ଅଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *