Spread the love

*ବଅଁରପାଳ-ବଲହର ଛକ ମଧ୍ୟରେ କୋଇଲା ଓ ଲୁହାପଥର ବୋଝେଇ ଗାଡ଼ି ଚଳାଚଳ ଉପରୁ କଟକଣା ହଟିଲା; ଆଜି ମଧ୍ୟାହ୍ନ ୧୨ଟାରୁ ସ୍ୱାଭାବିକ ହେବ ଯାତାୟାତ*

-ଖରାପ ହୋଇଥିବା ଗାଡ଼ିକୁ ୩୦ ମିନିଟ୍ ମଧ୍ୟରେ ରାସ୍ତାରୁ ହଟାଇବା ବାଧ୍ୟତାମୂଳକ

-ନିୟମ ଭାଙ୍ଗିଲେ ପୁଣି ଲାଗିବ କଟକଣା

*ଅନୁଗୋଳ/ତାଳଚେର, ୨୩/୧୧:* ଜାତୀୟ ରାଜପଥ-୧୪୯ ର ବଅଁରପାଳଠାରୁ ବଳହର ଛକ ମଧ୍ୟରେ କୋଇଲା ଏବଂ ଲୁହାପଥର ବୋଝେଇ ଭାରୀଯାନ ଚଳାଚଳ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଅନୁଗୁଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅବଦାଲ ଏମ୍. ଅଖତାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ନୂତନ ଆଦେଶନାମା ଜାରି କରାଯାଇଛି। ଏହି ନୂତନ ନିର୍ଦ୍ଦେଶ ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ଠାରୁ ଉକ୍ତ ରାସ୍ତାରେ କୋଇଲା ଓ ଲୁହାପଥର ବୋଝେଇ ଗାଡ଼ିଗୁଡ଼ିକର ସ୍ୱାଭାବିକ ଚଳାଚଳ ପୁନଃ ଆରମ୍ଭ ହେବ।

ପୂର୍ବରୁ ଜାତୀୟ ରାଜପଥ-୧୪୯ ଓ ୫୩ର ଚାରିଥାକିଆ ପ୍ରଶସ୍ତୀକରଣ କାର୍ଯ୍ୟ ଏବଂ ପ୍ରବଳ ଟ୍ରାଫିକ୍ ଜାମ୍ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ନଭେମ୍ବର ୨୧ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରୁଟ୍‌ରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା। ତେବେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଏବଂ ଟାଟା ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଟ୍ରାଫିକ୍ ପରିଚାଳନା ଏବଂ ରାସ୍ତାରେ ଅଚଳ ହୋଇ ପଡ଼ୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବା ପରେ ପ୍ରଶାସନ ପକ୍ଷରୁ ଏହି କଟକଣା କୋହଳ କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଂପୃକ୍ତ କମ୍ପାନୀଗୁଡ଼ିକ ଉକ୍ତ ରାସ୍ତାର ପ୍ରମୁଖ ସ୍ଥାନମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀ ଏବଂ ବ୍ରେକଡାଉନ୍ ରିକଭରି ଭେଇକିଲ୍ (କ୍ରେନ୍) ମୁତୟନ ରଖିବେ। କୌଣସି ଟ୍ରକ୍ ବା ଭାରୀଯାନ ରାସ୍ତାରେ ଖରାପ ହେଲେ, ଖବର ପାଇବାର ୩୦ ମିନିଟ୍ ମଧ୍ୟରେ ତାହାକୁ ରାସ୍ତାରୁ ହଟାଇବା ବାଧ୍ୟତାମୂଳକ କରାଯାଇଛି। ରାତି ସମୟରେ ମଧ୍ୟ ଗାଡ଼ି ଟାଣି ନେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବ ଏବଂ କୌଣସି ଅଚଳ ଗାଡ଼ି ଯେପରି ରାସ୍ତା ଅବରୋଧ ନ କରେ, ସେଥିପ୍ରତି କମ୍ପାନୀ ଓ ପରିବହନ ସଂସ୍ଥାମାନେ ଧ୍ୟାନ ଦେବେ।

ଅନ୍ୟପକ୍ଷରେ, ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଠିକାସଂସ୍ଥା AIPL ରାସ୍ତାର ଖାଲଖମା ମରାମତି, ସାଇଡ୍ ସୋଲ୍ଡର ରକ୍ଷଣାବେକ୍ଷଣ, ନିର୍ମାଣ ଆବର୍ଜନା ସଫା କରିବା ସହ ଆବଶ୍ୟକୀୟ ସତର୍କତା ମୂଳକ ସୂଚକ ବୋର୍ଡ, ବ୍ୟାରିକେଡ୍ ଓ ରାତ୍ରିକାଳୀନ ଆଲୋକର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଭବିଷ୍ୟତରେ ବାରମ୍ବାର ଗାଡ଼ି ଖରାପ ହୁଏ କିମ୍ବା କମ୍ପାନୀଗୁଡ଼ିକର ଅବହେଳା ଯୋଗୁଁ ପୁନର୍ବାର ଟ୍ରାଫିକ୍ ଜାମ୍ ଓ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ, ତେବେ କଟକଣାକୁ ପୁଣିଥରେ ଲାଗୁ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବରେ ସୂଚନା ଦିଆଯାଇଛି। ଏହି ସମସ୍ତ କାର୍ଯ୍ୟକୁ ତାଳଚେର ଉପ-ଜିଲ୍ଲାପାଳଙ୍କ ସମେତ ଏସଡିପିଓ, ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ତଦାରଖ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

You missed