Spread the love

*ବରଗଡ଼ ଜିଲ୍ଲାରେ ଉଦଯାପିତ ହେଲା “ସମ୍ଭବ”ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ*

ବରଗଡ଼: ୨୬/୦୯/୨୦୨୫ (ପବିତ୍ର ମେହେର)::ବରଗଡ଼ ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସମ୍ଭବ”ର ଦ୍ବିତୀୟ ପର୍ଯ୍ୟାୟ ସଦରମହକୁମାରେ ସ୍ଥିତ ପି ଏମ୍ ଶ୍ରୀ ସରକାରୀ ବାଳିକା ହାଇସ୍କୁଲ,ବରଗଡ଼ରେ ଉଦଯାପିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୟ କୁମାର ସୋଏ, ବରଗଡ଼ ବିଇଓ ସୁରେନ୍ଦ୍ର କୁମାର ସାହୁ ,ଝାରବନ୍ଧ ବିଇଓ ଶୁଭମ୍ ପତି,ଡିଆଇଇଟି ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା,ପେଡାଗୋଜି କୋର୍ଡିନେଟର୍ ପୁଷ୍ପାଞ୍ଜଳି ଦାଶ,ମାଷ୍ଟର ଟ୍ରେନର ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ, ପଣ୍ଡକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ସାହୁ ଶିକ୍ଷାନୁଷ୍ଠାନର ମୁଖ୍ୟ ସଦା ସର୍ବଦା ଦୃଢ ମାନସିକତା ନେଇ କାର୍ଯ୍ୟ କଲେ ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କରିହେବ ବୋଲି ମତ ବ୍ୟକ୍ତ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ସୋହେଲା ବ୍ଲକ୍ ଓ ବିଜେପୁର ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ତିମ ଦିବସରେ ସୋହେଲା ବିଇଓ ଅମୃତା ସାହୁ ପ୍ରଶିକ୍ଷାର୍ଥୀମାନଙ୍କୁ ଗଠନମୂଳକ ପରାମର୍ଶ ଦେଇଥିଲେ।

ଏହି ଶିବିରରେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ୱର ବିକାଶ ନିମନ୍ତେ ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ,ମାନ ନିର୍ଦ୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା, ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର,ସାଇବର ସୁରକ୍ଷା , ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଉପସ୍ଥାପନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକରଣ,ଧନ୍ଦାମୂଳକ ଶିକ୍ଷା, ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା।ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଜାଲପାଲି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମେହେର ଅନୁଭୂତି ବର୍ଣ୍ଣନା କରିଥିଲେ।ସମସ୍ତ ସାଧନକର୍ମୀ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସାଧନକର୍ମୀ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *