Spread the love

*ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ କଳାହାଣ୍ତି ପ୍ରଶାସନର ପ୍ରସ୍ତୁତି ବୈଠକ

ଭବାନୀପାଟଣା (ଜାଗ୍ରତ ଭାରତ )
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଆସନ୍ତା କାଲି ୩ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ସ୍ଥାନରେ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଜିଲାପାଳଙ୍କ ଓସ୍ବାନ ଗୃହ ରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏକ ଆଭାସୀ ସମୀକ୍ଷା ବୈଠକ ମାଧ୍ୟମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାର ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ଓ ପ୍ରସ୍ତୁତ ରହିବା ସହ ନିଜ ନିଜ କର୍ମସ୍ଥଳରେ ଉପସ୍ଥିତ ରହି ଦାୟିତ୍ୱ ସମ୍ପାଦନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ, ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କୌଣସି ଅଧିକାରୀ କିମ୍ବା କର୍ମଚାରୀ ପୂର୍ବାନୁମତି ବିନା ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ସମସ୍ତଙ୍କୁ ମୁଖ୍ୟାଳୟରେ ରହି ସତର୍କତାର ସହ ନିଜ ନିଜ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜନସାଧାରଣଙ୍କ ସୁରକ୍ଷା ଓ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ସତର୍କତା ପଦକ୍ଷେପ ସ୍ୱରୂପ ବଜ୍ରପାତ ସହ ବନ୍ୟା ରୁ ରକ୍ଷା ପାଇବା ପାଇଁ ସମସ୍ତ ନଦୀକୂଳ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ମାଇକ ଦ୍ୱାରା ପ୍ରଚାର,ଜିଲ୍ଲା,ବ୍ଲକ୍,ତହସିଲ, ବିଜ୍ଞାପିତ ପରିଷଦ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ୨୪*୭ କଣ୍ଟ୍ରୋଲ ରୁମ୍,ଭୁସ୍ଫଳନ ଆଶଙ୍କା ଥିବା ଥୁଆମୂଲ୍ ରାମପୁର,ଲାଞ୍ଜିଗଡ,ଏମ ରାମପୁର ଓ କୋକସରା ବ୍ଲକରେ ଆଗୁଆ ବ୍ୟବସ୍ଥା,୨୮ ଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର,ବେଲଖଣ୍ଡି, ରାସଡୁମେର, ବାଲିଛଡା, କୁଟେନ୍ ଗାଁ ଠାରେ ବହୁମୁଖୀ ବନ୍ୟା ଆଶ୍ରୟ କେନ୍ଦ୍ର ସ୍ଥାପନ, ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର,ସ୍ବାସ୍ଥ୍ୟ କେନ୍ଦ୍ରରେ ମୋଟ ୧୯୦୦ ସାପ କାମୁଡ଼ା ଇଞ୍ଜେକ୍ସନ ଉପଲବ୍ଧ,୧୭୬୬ ପଲିଥିନ୍ ରୋଲ, ଯଥେଷ୍ଟ ପରିମାଣର ଚୁଡ଼ା, ଗୁଡ଼ ଓ ବିସ୍କୁଟ ମହଯୁଦ,ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।ଜିଲ୍ଲାପାଳ ଆସନ୍ତାକାଲି ତା ୩.୧୧.୨୦୨୬ ରିଖ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିବାପାଇଁ ପଦକ୍ଷେପ ନେବାକୁ ଡି ଇ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ)ଙ୍କୁ ଗୋଲାମୁଣ୍ଡା ଓ ଧର୍ମଗଡ,ସି ଡି ଓ ଜିଲ୍ଲାପରିଷଦ ଙ୍କୁ କଲମପୁର ଓ ଜୁନାଗଡ,ଉପ ଜିଲ୍ଲାପାଳ ଧର୍ମଗଡ ଙ୍କୁ କୋକସରା ଓ ଜୟପାଟଣା,ଉପ ଜିଲ୍ଲାପାଳ ଭବାନୀପାଟଣା ଙ୍କୁ କେସିଙ୍ଗା ବ୍ଲକ ର ବିଶେଷ ଦାୟିତ୍ୱ ସହ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି।ଜିଲ୍ଲାପାଳ ରାସ୍ତା ,ପୋଲ, ଗମନାଗମନ,ବିଦ୍ୟୁତ୍ ସରାବରାହ,ପାନୀୟ ଜଳ, ଟେଲିକମ ସେବା, ସ୍ବାସ୍ଥ୍ୟ ସେବା, ଅଗ୍ନିଶମ ,ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ସମସ୍ତ ବି ଡି ଓ ସମ୍ଭାବ୍ୟ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିବା ଓ ତଦ ସମ୍ବନ୍ଧିୟ ରିପୋର୍ଟ ଶୀଘ୍ର ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *