Spread the love

“ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଭୟଭୀତ ନ ହୋଇ ସଚେତନ ରୁହନ୍ତୁ”

“ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି”

ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ପ୍ରଶାସନ ସଜାଗ ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିପର୍ଯ୍ୟୟ:
ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି

ଭୁବନେଶ୍ୱର, ୨ନଭେମ୍ବର/୨୦୨୬:
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଗାମୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ କହିଛନ୍ତି ଯେ,ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି, ଭୟଭୀତ ନ ହୋଇ ସଚେତନ ରହିବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଆଗାମୀ ବାତ୍ୟା ‘ମୁରାସୁ’ ଗଭୀର (ଅବପାତ) ହୋଇ ବଙ୍ଗୋପସାଗରରେ ନେଲୋର ଠାରୁ ୧୬୦ କିମି, ତାମିଲନାଡୁର ଚେନ୍ନାଇ ଠାରୁ ୧୮୦ କିମି, କାଭେଲିରୁ ୧୮୦ କିମି, ଓଙ୍ଗୋଲରୁ ୨୧୦ କିମି ଏବଂ ମଛଲିପାଟନମରୁ ୨୪୦ କିମି ଦୂରରେ ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୧୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଅର୍ଣ୍ଣବ’ ବାତ୍ୟା ଏବଂ ଏହାର ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତିଘଟାଇଛି । ବିଶେଷକରି ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି।, ଏହି ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ମୋଟ ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨,୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି. ସେହିପରି ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡର ଲୋକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜନସଂଖ୍ୟା: ସମୁଦାୟ ୨,୧୦,୯୨୦ ଜଣ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି । ସ୍ଥାନାନ୍ତରଣ: ସୁରକ୍ଷା ଦୃଷ୍ଟିରୁ ୧,୪୧,୭୯୭ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ,ପ୍ରଭାବିତ ଅଞ୍ଚଳରୁ ମୋଟ ୫୭୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ବିପର୍ଯ୍ୟୟରେ ଗଞ୍ଜାମ ୩ ଜଣ ବ୍ୟକ୍ତିଙ୍କର ଜୀବନହାନି ହୋଇଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ଯାଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରିଲିଫ୍ କ୍ୟାମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଯଥା ଚାଉଳ, ଚୁଡ଼ା, ଗୁଡ଼ ଏବଂ ଗୋ-ଖାଦ୍ୟ ବଣ୍ଟନ କରାଯାଉଛି । ଏହା ସହିତ ପ୍ରଭାବିତମାନଙ୍କୁ ୫,୪୫୮ଟି ପଲିଥିନ୍ ସିଟ୍ ମଧ୍ୟ ଯାଗାଇ ଦିଆଯାଇଛି ।

ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନରୁଦ୍ଧାର କାର୍ଯ୍ୟ ଚଲିଛି । ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ୨୪ ଘଣ୍ଟା (୨୪/୭) ସକ୍ରିୟ ରଖାଯାଇଛି । ରାସ୍ତାଘାଟଗୁଡ଼ିକୁ ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ କରିବାକୁ ସମସ୍ତ କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତି ନିୟୋଜିତ କରାଯାଇଛି । ଗଞ୍ଜାମ ଜିଲ୍ଲା:କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି ଏବଂ ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗରରେ ରାସ୍ତା ଉପରେ ଭୂସ୍ଖଳନ ଜନିତ ଯେଉଁ ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି । ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ (Breaches) ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ଗଜପତି ଜିଲ୍ଲାର ୬ଟି ବ୍ଲକର ୧୯ଟି ରାସ୍ତାର ଭୂସ୍ଖଳନ ଅବସ୍ଥା ସଫା କରାଯାଇଛି । ପାଣି ମାଡ଼ିଯିବା ଯୋଗୁଁ ପ୍ରଭାବିତ ହୋଇଥିବା ୫ଟି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ୩ଟି ବ୍ଲକରେ ପ୍ରଭାବିତ ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯାଇଛି । ଗୋଷାଣୀ ବ୍ଲକର ଗୋଟିଏ ରାସ୍ତାରେ ଅସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । କନ୍ଧମାଳ ଜିଲ୍ଲା:୩ଟି ବ୍ଲକର ୩୧ଟି ରାସ୍ତା ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଥିବାବେଳେ ୧୬ଟି ନିର୍ମାଣାଧିନ ଅଛି । ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଛି ଏବଂ ୩୧ଟି ର କାମ ଚାଲିଛି । ରାୟଗଡ଼ା ଜିଲ୍ଲା:ଗୁଣୁପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା ଆବର୍ଜନା ଓ ମାଟି ବାଧକକୁ ସଫା କରାଯାଇଛି ।

“ଅର୍ଣ୍ଣବ” ବାତ୍ୟା ଏବଂ ଏହାପରବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ଟିପିଏସଓଡିଏଲ୍ (TPSODL) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ କମ୍ପାନୀ ଅଧୀନରେ ଥିବା ମୋଟ୍ ୯୯.୦୫% ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇସାରିଛି । ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ,ଗଞ୍ଜାମ, କନ୍ଧମାଳ, ଗଜପତି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ବାକିଥିବା ସ୍ଥାନଗୁଡ଼ିକରେ କାମ ଶୀଘ୍ର ଶେଷ କରିବା ପାଇଁ ଟିମଗୁଡ଼ିକ ନିୟୋଜିତ ଅଛନ୍ତି । ଏହି ସବୁ ଜିଲ୍ଲାରେ ମୋଟ୍ ପ୍ରଭାବିତ ଗ୍ରାହକ: ୧୭,୮୮,୯୪୨ ,ବିଦ୍ୟୁତ୍ ସେବା ପାଇଥିବା ଗ୍ରାହକ: ୧୭,୭୨,୦୨୮ ,ବର୍ତ୍ତମାନ ସୁଦ୍ଧା ବାକିଥିବା ଗ୍ରାହକ: ୧୬,୯୧୪ ,ମୋଟ୍ ପୁନରୁଦ୍ଧାର ହୋଈଛି । ୩୩ K.V. ଫିଡର୍: ସମସ୍ତ ପ୍ରଭାବିତ ୪୬ଟି ଫିଡରର ମରାମତି ସମ୍ପୂର୍ଣ୍ଣ ହୋଇଛି । ୩୩/୧୧ K.V. ଉପକେନ୍ଦ୍ର (PSS): ସମସ୍ତ ପ୍ରଭାବିତ ୧୩୦ଟି ଉପକେନ୍ଦ୍ର ସଚଳ କରାଯାଇଛି । ୧୧ K.V. ଫିଡର୍: ପ୍ରଭାବିତ ୬୫୮ଟି ଫିଡର ସମ୍ପୂର୍ଣ୍ଣ ସଚଳ ହୋଇଛି । ଡି.ଟି.ଆର୍ (DTR): ୫୬,୭୦୬ଟି ପ୍ରଭାବିତ ଡିଟିଆର ମଧ୍ୟରୁ ୫୬,୩୫୮ଟିର ମରାମତି କରାଯାଇଛି ।
ଗଞ୍ଜାମ, ଗଜପତି ଏବଂ କନ୍ଧମାଳର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫,୭୨୨ ଟି ନଳକୂପ ପ୍ରଭାବିତ ହୋଇଥିଲା । ଏହା ମଧ୍ୟରୁ ୪,୪୭୫ ପୁନରୁଦ୍ଧାର ଏବଂ ବିଶୋଧନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରଭାବିତ ୩୯୩ ଟି ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ (Rural Piped Water Supply Schemes) ମଧ୍ୟରୁ ୨୪୭ ପୁନରୁଦ୍ଧାର କରାଯାଇଛି ଏବଂ ୨୬୫ ଟି ବିଶୋଧନ କରାଯାଇଛି । ୨୩୫ ଟି ଜଳ ଟ୍ୟାଙ୍କର୍ (Water Tankers), ୮୦ ଟି ଟ୍ରାକ୍ଟର ମାଉଣ୍ଟେଡ୍ ସିଣ୍ଟେକ୍ସ ଟାଙ୍କି ଏବଂ ୮୪ ଟି ଡି.ଜି. ସେଟ୍ (DG Sets) ମୁତୟନ କରାଯାଇଛି । ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ୯ ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ମଧ୍ୟ ମୁତୟନ କରାଯାଇଛି। ୪,୨୨,୩୦୦ ପ୍ୟାକ୍ କରାଯାଇଥିବା ଜଳ ବୋତଲ ଏବଂ ୩,୧୮,୫୦୦ ଜଳ ପାଉଚ୍ ବଣ୍ଟନ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ୨୩ ଟି ଏବଂ ଆସିକା ପୌରପାଳିକା ପାଇଁ ୭ ଟି ଜଳ ଟ୍ୟାଙ୍କର୍ ମୁତୟନ କରାଯାଇଛି । ଏହାସହ ବ୍ରହ୍ମପୁର ମହାନଗର ନିଗମ ୨ ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ (Mobile water treatment Units) ମଧ୍ୟ ମୁତୟନ କରାଯାଇଛି । ସମସ୍ତ ଜଳାଶୟର ବିଶୋଧନ କାର୍ଯ୍ୟ ଜାରି ରହିଛି ।

ଡାଏରିଆ, ମଲେରିଆ, ଡେଙ୍ଗୁ ଭଳି ରୋଗର ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ‘ରାପିଡ୍ ରେସପନ୍ସ ଟିମ୍’ (RRT) ଏବଂ ମୋବାଇଲ୍ ହେଲ୍ଥ ଟିମ୍ ନିୟୋଜିତ କରାଯାଇଛି। ଆସୁଥିବା ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।ସୁରକ୍ଷା ବାହିନୀ: ଗଞ୍ଜାମ ଜିଲ୍ଲାରେ ୩୨ଟି ଓଡ୍ରାଫ୍ (ODRAF) ଏବଂ ୩ଟି ଏନଡିଆରଏଫ୍ (NDRF) ଟିମ୍ (ମୋଟ ୩୫ଟି ଟିମ୍) ମୁତୟନ ଅଛନ୍ତି। ଗଜପତି ରେ ୯ ଟି ଓଡ଼୍ରାଫ୍ ,୧ ଟି ndrf ଏହାଛଡ଼ା ରାୟଗଡ଼ା୩ ଟି ,ଓଡ଼୍ରାଫ,୧ ଟି ndrf, କୋ ରାପୁଟ, ରେ ୩ ଟି ,୧ ଟି ndrf ମାଲକାନଗିରି, ରେ ୩ ଟି,୧ ଟି ndrf କନ୍ଧମାଳ ରେ ୪ ଟି ଓଡ଼୍ରାଫ୍, ୨ ଟି ndrf, ଓ ନବରଙ୍ଗପୁରରେ ୩ଟି ଟିମ୍ ନିୟୋଜିତ କରାଯାଇଛି। କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ପହଞ୍ଚୁଛନ୍ତି। ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ଜନସାଧାରଣଙ୍କୁ ନିବେଦନ କରାଯାଇଛି ଯେ: ଲୋକମାନଙ୍କୁ ସୁରକ୍ଷିତ ରିଲିଫ୍ ସେଣ୍ଟର, ନିକଟସ୍ଥ ସ୍କୁଲ୍, କଲେଜ କିମ୍ବା ଚାଲିଯିବାକୁ ନିବେଦନ କରାଯାଇଛି। ଆଶା ଓ ଆଙ୍ଗନବାଡ଼ି କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ଦ୍ୱିତୀୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କମ୍ ପଡ଼ିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *