Spread the love

### ବାଲେଶ୍ୱରରେ ୨୫ ଲକ୍ଷରୁ ଅଧିକ ସରକାରୀ ଅର୍ଥ ହଡ଼ପ ଅଭିଯୋଗ: ଦୁଇ କୃଷି ଅଧିକାରୀଙ୍କ ସମେତ ଏନ୍‌ଜିଓ ନିର୍ଦ୍ଦେଶକ ଗିରଫ

CRFM ଯୋଜନାରେ ଜାଲ୍ ବିଲ୍ ଜରିଆରେ ଅର୍ଥ ଆତ୍ମସାତ୍ ଅଭିଯୋଗ, ଭିଜିଲାନ୍ସ କୋର୍ଟକୁ ଚାଲାଣ କରିବ

ବାଲେଶ୍ୱର, ୧୮/୧୧/୨୦୨୬: ସରକାରୀ ଯୋଜନାର ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତିନି ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ବିଶ୍ୱଜିତ ପଣ୍ଡା, ପୂର୍ବତନ କୃଷି ଜିଲ୍ଲା ଅଧିକାରୀ (ADO) ସରୋଜ କୁମାର ଗିରି ଏବଂ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ‘ଶକ୍ତି ଶିକ୍ଷା’ ଡେଭଲପମେଣ୍ଟ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ରହିଛନ୍ତି। CRFM ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ରହିଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କମ୍ପ୍ରିହେନ୍ସିଭ୍ ରାଇସ୍ ଫାଲୋ ମ୍ୟାନେଜମେଣ୍ଟ (CRFM) ଯୋଜନାରେ ସରକାରୀ ଅର୍ଥର ଅନିୟମିତତା ହୋଇଥିବା ଅଭିଯୋଗ ମିଳିବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

ଏହି ଯୋଜନାରେ ବାଲେଶ୍ୱର ଜିଲ୍ଲାର ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩,୫୦୦ ହେକ୍ଟର ଜମିରେ ବିରି ଚାଷ କରିବା ପାଇଁ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଏହାର କାର୍ଯ୍ୟାନ୍ୱୟନରେ ସହଯୋଗ କରିବା ପାଇଁ ବାରିପଦାର ‘ଶକ୍ତି ଶିକ୍ଷା’ ଡେଭଲପମେଣ୍ଟ ସୋସାଇଟିକୁ ପ୍ରଫେସନାଲ୍ ଏଜେନ୍ସି (PA) ଭାବେ ଚୟନ କରାଯାଇଥିଲା।

ଯୋଜନାର ନିୟମ ଅନୁସାରେ, ଏହି ସଂସ୍ଥା ଚାଷୀ ଓ ହିତାଧିକାରୀଙ୍କ ଚୟନ, କ୍ଲଷ୍ଟର ଗଠନ, ସଚେତନତା ଶିବିର ଆୟୋଜନ, ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ଯୋଗାଇ ଦିଆଯାଇଥିବା କୃଷି ସାମଗ୍ରୀର ବ୍ୟବହାର ଉପରେ ନଜର ରଖିବା ଭଳି କାର୍ଯ୍ୟ କରିବାର ଦାୟିତ୍ୱ ପାଇଥିଲା।

ତେବେ ଭିଜିଲାନ୍ସର ତଦନ୍ତ ଓ କ୍ଷେତ୍ରସ୍ତରୀୟ ଯାଞ୍ଚରୁ ଏହି ଏନ୍‌ଜିଓ ପକ୍ଷରୁ ଉକ୍ତ କାର୍ଯ୍ୟଗୁଡ଼ିକ କରାଯାଇନଥିବା ଜଣାପଡ଼ିଥିଲା। ଏପରିକି ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ଟି ବ୍ଲକର କୃଷି ଅଧିକାରୀମାନେ ମଧ୍ୟ ଏହି ସଂସ୍ଥା କୌଣସି କାର୍ଯ୍ୟ କରିନଥିବା ନେଇ ବୟାନ ଦେଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ତତ୍କାଳୀନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି ଏବଂ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ମିଳିତ ଭାବେ ଷଡ଼ଯନ୍ତ୍ର କରିଥିଲେ। ସଂସ୍ଥା ପକ୍ଷରୁ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇଥିବା ବେଳେ କ୍ଷେତ୍ରସ୍ତରୀୟ କାର୍ଯ୍ୟର କୌଣସି ପ୍ରମାଣପତ୍ର କିମ୍ବା ଯାଞ୍ଚ ବିନା ଦୁଇ ସରକାରୀ ଅଧିକାରୀ ଏହି ବିଲ୍‌ଗୁଡ଼ିକୁ ମଞ୍ଜୁର କରିଥିବା ଅଭିଯୋଗ ହୋଇଛି।

ଏହିପରି ଭାବେ ସରକାରୀ ପଦବୀର ଅପବ୍ୟବହାର କରି ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ହଡ଼ପ କରାଯାଇଥିବା ଏବଂ ଏହାଦ୍ୱାରା ସରକାରୀ ରାଜକୋଷର କ୍ଷତି ହୋଇଥିବା ଭିଜିଲାନ୍ସ ଅଭିଯୋଗ କରିଛି।

ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ କରାଯାଇଛି। ତିନି ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଗିରଫ ତିନି ଜଣଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *