Spread the love

ନୁଆଦିଲ୍ଲୀ : ‘ସ୍ବାଗତମ୍ ବନ୍ଧୁ !’ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ)କୁ ଏପରି କହି ସ୍ବାଗତ କରିଛି ଚନ୍ଦ୍ରଯାନ-୨ର ଅର୍ବିଟର୍। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ (ବିକ୍ରମ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଥିବାବେଳେ ଏହା ସହିତ ଚନ୍ଦ୍ରଯାନ-୨ର ଅର୍ବିଟର ଯୋଗାଯୋଗ ସ୍ଥାପନ କରାଯାଇଛି।

ଏପରି ଯୋଗାଯୋଗ ଦ୍ବାରା ବିକ୍ରମର ଆଭ୍ୟନ୍ତରୀଣ ଯନ୍ତ୍ରାଂଶ ଠିକ୍ ରହିଥିବା ସ୍ପଷ୍ଟ ହୋଇଛି। ବିକ୍ରମ ସହିତ ଚନ୍ଦ୍ରଯାନ-୨ର ଅର୍ବିଟର ମଧ୍ୟରେ ଏପରି ଯୋଗାଯୋଗ ସମ୍ପର୍କରେ ଇସ୍ରୋ ଜଣାଇଛି। ଅଗଷ୍ଟ ୨୩ ବୁଧବାର ସନ୍ଧ୍ୟା ୬ଟା ୪ମିନିଟ୍‌ରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏଥିପାଇଁ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ବିକ୍ରମକୁ ନିମ୍ନଗାମୀ କରିବା ପ୍ରକ୍ରିୟା ଆରମ୍ଭ ହେବ।

ଏହା ଅତ୍ୟନ୍ତ ଜଟିଳ ପ୍ରକ୍ରିୟା। ଏହି ପ୍ରକ୍ରିୟା ସଫଳ ହେଲେ ଭାରତ ଇତିହାସ ରଚିବ। ୨୦୧୯ରେ ଇସ୍ରୋ ଏହାର ଚନ୍ଦ୍ର ଅଭିଯାନ ନିମନ୍ତେ ପଠାଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହୋଇଥିଲା। ସେତେବେଳେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ କ୍ରାସ୍ ଲ୍ୟାଣ୍ଡିଂ କରିବା ପୂର୍ବକ ନଷ୍ଟ ହୋଇଯାଇଥିଲା।

ତେବେ ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ମଧ୍ୟ ଚନ୍ଦ୍ରର କକ୍ଷ ପଥରେ ପରିକ୍ରମଣ କରୁଛି। ​‌ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ଚନ୍ଦ୍ରର ୧୦୦ କିମିx୧୦୦ କିମି କକ୍ଷ ପଥରେ ପରିକ୍ରମଣ କରୁଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏହା ମଧ୍ୟରେ ଥିବା ରୋଭର (ପ୍ରଜ୍ଞାନ) ବାହାରକୁ ଆସି ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ (ପୃଥିବୀର ୧୪ଦିନ) ରହି ଆବଶ୍ୟକ ତଥ୍ୟ ସଂଗ୍ରହ କରିବ। ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ କିରଣ ମାଧ୍ୟମରେ ପ୍ରଜ୍ଞାନରେ ଥିବା ବ୍ୟାଟେରି ଚାର୍ଜ ହୋଇ କାର୍ଯ୍ୟ କରିବ।

ସୂର୍ଯ୍ୟାସ୍ତ ପରେ ଏହାର ନିଷ୍କ୍ରିୟ ହୋଇଯିବ। ତେବେ ପରଦିନ ଚନ୍ଦ୍ରରେ ପୁନର୍ବାର ସୂର୍ଯ୍ୟ ଉଦୟ ପରେ ପ୍ରଜ୍ଞାନର ବ୍ୟାଟେରି ଚାର୍ଜ ହୋଇ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ବୋଲି ଇସ୍ରୋ କହିଛି। ପ୍ରଜ୍ଞାନରେ ଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବା ସହିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବ। ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଘୂରିବୁଲିବା ସମୟରେ ବିକ୍ରମ ଏହାକୁ ନିୟନ୍ତ୍ରଣରେ ରଖିବ।
ସୋର୍ସ news

Leave a Reply

Your email address will not be published. Required fields are marked *