Spread the love

*ବିଜେପି ରାଜ୍ୟ ସଭାପତିଙ୍କ ଛତ୍ରପୁର ଓ ଗଞ୍ଜାମ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ।*

ଛତ୍ରପୁର, ୧/୧୧ : ଭାରତୀୟ ଜନତା ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ।
ବାତ୍ୟା ପରବର୍ତ୍ତୀ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ବରପଲ୍ଲୀ, ଭୁଆଁଭୂଇଁ, ପୋଟଲାମପୁର, ଗଙ୍ଗାପୁର ସମେତ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।

ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚିଛି କି ନାହିଁ, ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କିପରି ଚାଲିଛି ଏବଂ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ଲୋକଙ୍କ ନିକଟରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ସେ ସମ୍ପର୍କରେ ସେ ପଚାରି ବୁଝିଥିଲେ ।
ଏହା ସହିତ ଚାଷୀମାନଙ୍କ ଫସଲ କ୍ଷୟକ୍ଷତି, କୃଷି ଋଣ ଛାଡ଼, ଘାଇ ମରାମତି, ଜଳନିଷ୍କାସନ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ରୋକିବା ସହ ଲୋକଙ୍କ ଜୀବନଯାପନକୁ ସ୍ୱାଭାବିକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଏଥିସହ ବନ୍ୟା ପରିସ୍ଥିତି ପରେ ପୁନର୍ବାର ଥଇଥାନ ଓ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କିଭଳି ସର୍ବବ୍ୟାପି ସର୍ବସ୍ପର୍ଶୀ ହୋଇପାରିବ ଏଥି ନିମନ୍ତେ ସ୍ଥାନୀୟ ବିଡିଓ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲଗାତାର ରିଲିଫ୍ ସାମଗ୍ରୀ ଓ ରନ୍ଧା ଖାଦ୍ୟ ବଣ୍ଟନ ଜାରି ରଖିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବା ଉପରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଜୀବନଯାପନ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବା ଉପରେ ଏହି ଗସ୍ତରେ ଆଲୋକପାତ କରାଯାଇଥିଲା ।
ଏହି ଗସ୍ତ ସମୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର,ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ତଥା ଛାତ୍ରପୁରର ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ଜିଲ୍ଲା ସମ୍ପାଦକ ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You missed