Spread the love

ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

‘ଅଗଷ୍ଟ କ୍ରାନ୍ତି ଦିବସ’ ସ୍ବାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା – ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର ଟାଉନ ହଲ୍ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସ୍ବାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଓ ଅବଦାନକୁ ସ୍ମୃତିଚାରଣ କଲେ କେନ୍ଦ୍ରମନ୍ତ୍ରୀ

୧୯୪୨ ମସିହା ଆଜିର ଦିନରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା

ସମଗ୍ର ଦେଶ ଏକାଠି ହୋଇ ଭାବରେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ବର ଉଠାଇଥିଲା

ଦେଶରେ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଜନଆନ୍ଦୋଳନର ଆବଶ୍ୟକ‌ତା ଅଛି

ବ୍ରହ୍ମପୁର, ୯/୮ : ‘ଅଗଷ୍ଟ କ୍ରାନ୍ତି ଦିବସ’ ସ୍ବାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା । ଏହା କେବଳ ଏକ ଆନ୍ଦୋଳନ ନଥିଲା ବରଂ ଲୋକଙ୍କ ମଧ୍ୟରେ ସ୍ବାଧୀନତା ପାଇଁ ଅତୁଟ ବିଶ୍ବାସ ଏବଂ ଅଦମ୍ୟ ସାହସର ପ୍ରତୀକ ଥିଲା ବୋଲି ଶନିବାର ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।’ଅଗଷ୍ଟ କ୍ରାନ୍ତି ଦିବସ’ ଅବସରରେ ଆୟୋଜିତ ଏହି ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ । ବ୍ରହ୍ମପୁର ଟାଉନ ହଲ୍ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉପଲକ୍ଷେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଓ ଅବଦାନକୁ ସ୍ମୃତିଚାରଣ କରିବା ସହ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ଇଂରେଜମାନଙ୍କୁ ଆମ ଦେଶରୁ ବିତାଡ଼ିତ କରିବା ପାଇଁ ୧୯୪୨ ମସିହା ଆଜିର ଦିନରେ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଅଗଷ୍ଟ କ୍ରାନ୍ତି ସ୍ବାଧୀନତା ସଂଗ୍ରାମର ସେହି ମୁହୂର୍ତ୍ତ ଥିଲା, ଯେତେବେଳେ ସମଗ୍ର ଦେଶ ଏକାଠି ହୋଇ ଭାବରେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ବର ଉଠାଇଥିଲା । ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରୁ ମହାତ୍ମା ଗାନ୍ଧୀ ‘କର ବା ମର’ ଡାକରା ଦେଇଥିଲେ, ଯାହା ସ୍ବାଧୀନତା ସଂଗ୍ରାମକୁ ଏକ ନୂତନ ଦିଗଦର୍ଶନ ଏବଂ ବଡ଼ ଗତି ଦେଇଥିଲା Iସେ ଆହୁରି କହିଛନ୍ତି, ଆଜିର ଦିନ ଉତ୍ସାହର ସହ ଦେଶପ୍ରେମକୁ ଜାଗ୍ରତ କରିବାର ଦିନ । ଆଉ କିଛି ଦିନ ପରେ ଦେଶ ୭୯ତମ ସ୍ବାଧୀନତା ଦିବସ ପାଳନ କରିବ । ସାମ୍ପ୍ରତିକ ସମୟରେ ମଧ୍ୟ ଦେଶକୁ ଆତ୍ମନିର୍ଭର କରିବା ସହ ଭାରତର ପରିଚୟକୁ ବିଶ୍ବରେ ୧ ନମ୍ବର କରିବା ପାଇଁ ଲୋକମାନଙ୍କୁ ପୁଣି ଥରେ ଏକତ୍ରିତ ହେବାକୁ ପଡ଼ିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ଆହ୍ୱାନ ଦେଇଛନ୍ତି । ଆମର ଅର୍ଥନୀତିକୁ ମଜଭୂତ୍ କରିବା ସହ ଜନସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ଦେଶରେ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଜନଆନ୍ଦୋଳନର ଆବଶ୍ୟକ‌ତା ଅଛି । ନିଜର ସାହସ, ବଳିଦାନ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମୁକ୍ତ କରିବା ପାଇଁ ସର୍ବସ୍ବ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳେ ବ୍ରହ୍ମପୁରର ଆରାଧ୍ୟା ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦର୍ଶନ କରି ଆଶିର୍ବାଦ ନେବା ସହ ମନ୍ଦିରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ କ୍ରାନ୍ତି ଦିବସ ଅବସରରେ ରାମଲିଙ୍ଗେଶ୍ୱର ପାର୍କ ପରିସରସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ “ତ୍ରିରଙ୍ଗା ଯାତ୍ରା” ରେ ସାମିଲ ହେଇଥିଲେ । ଏହି “ତ୍ରିରଙ୍ଗା ଯାତ୍ରା” ରାମଲିଙ୍ଗେଶ୍ୱର ପାର୍କ ଠାରୁ ଆରମ୍ଭ ହୋଇ ଅନ୍ନପୂର୍ଣ୍ଣା ମାର୍କେଟ, ପୁରୁଣା ବସଷ୍ଟାଣ୍ଡ ଛକ ଦେଇ ପିଭିଏନ୍ ରାଓ ପେଟ୍ରୋଲ ପମ୍ପ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଥିବା ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଆଜିର ଏହି “ତ୍ରିରଙ୍ଗା ଯାତ୍ରାରେ” ଓଡ଼ିଶା ସରକାରଙ୍କ ଶିକ୍ଷା,ଖେଳ‌ ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ଘୁମୁସର (ଆସ୍କା) ସାଂଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ,ଘୁମୁସର (ଭଞ୍ଜନଗର) ସାଂଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ର,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ରାଜ୍ୟ ପ୍ରବକ୍ତା ଟି.ଗୋପି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳା,ପ୍ରଦୀପ ନାୟକ,ଜିଲ୍ଲା ସମ୍ପାଦିକା ନିବେଦିତା ପାଢ଼ୀ,ରତ୍ନଗର୍ଭା ସରସ୍ୱତୀ ଦେବୀ,ପ୍ରଦୀପ ପାଢ଼ୀ ପ୍ରମୁଖଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *