ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର: ୨୮ରୁ ୩୦ ସେପ୍ଟେମ୍ବର ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ପ୍ରସ୍ତାବିତ ଧର୍ମଘଟକୁ ନେଇ ଆସିଛି ବଡ଼ ଅପଡେଟ୍। ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ରବିବାର ରାତିରେ Indian Banks’ Association (IBA) ଓ United Forum of Bank Unions (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏନେଇ ସହମତି ପ୍ରକାଶ ପାଇଛି। ଫଳରେ ସୋମବାରଠାରୁ ବ୍ୟାଙ୍କ ଧର୍ମଘଟ ହେବ ନାହିଁ।
ବୈଠକରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ସମସ୍ତ ଶନିବାର ଛୁଟି, Performance Linked Incentive (PLI) Scheme ଏବଂ ପୂର୍ବରୁ ଆଲୋଚନା ହୋଇଥିବା ବକେୟା ପ୍ରସଙ୍ଗଗୁଡ଼ିକ ମୁଖ୍ୟତଃ ସାମିଲ ଥିଲା।
ସମସ୍ତ ଶନିବାର ଛୁଟି ନେଇ ହେବ ଉଚ୍ଚସ୍ତରୀୟ କମିଟି
ବ୍ୟାଙ୍କ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ଦାବିର ଏକ ଅଂଶ ଭାବେ ସମସ୍ତ ଶନିବାରକୁ ଛୁଟି ଦେବା ପ୍ରସଙ୍ଗରେ ଆଲୋଚନା ହୋଇଛି। ଏନେଇ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। କମିଟି ବିଭିନ୍ନ ବିକଳ୍ପ ଉପରେ ବିଚାର କରିବା ସହ ଅଂଶୀଦାରମାନଙ୍କ ସହ ଆଲୋଚନା କରିବ। ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥକୁ ମଧ୍ୟ ଏଥିରେ ବିଚାରକୁ ନିଆଯିବ।
PLI Scheme ନେଇ ମଧ୍ୟ ଆଲୋଚନା
ସେହିପରି Scale IV ଓ ତା’ଠାରୁ ଉପର ପାହ୍ୟାର ଅଧିକାରୀଙ୍କ ପାଇଁ ଲାଗୁ ହେଉଥିବା PLI Schemeରେ ସମ୍ଭାବ୍ୟ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ଆରମ୍ଭ ହେବ। ୟୁନିୟନ୍ ଓ ଆସୋସିଏସନ୍ଗୁଡ଼ିକ ଉଠାଇଥିବା ଆପତ୍ତିକୁ ବିଚାର କରି IBA ପକ୍ଷରୁ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦିଆଯିବା ନେଇ ପଦକ୍ଷେପ ନିଆଯିବ।
ବକେୟା ପ୍ରସଙ୍ଗରେ ଜାରି ରହିବ ଆଲୋଚନା
୮ ମାର୍ଚ୍ଚ ୨୦୨୪ର ମିନିଟ୍ସରେ ଉଲ୍ଲେଖ ଥିବା ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ IBA ଓ UFBU ମଧ୍ୟରେ ଆଲୋଚନା ଜାରି ରହିବ। ଏହି ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିବାକୁ ସହମତ ହୋଇଛନ୍ତି।
ଏହି ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଲିବା ପରେ UFBU ପକ୍ଷରୁ ପ୍ରସ୍ତାବିତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଓ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।
ଫଳରେ ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ବର୍ତ୍ତମାନ ହେବ ନାହିଁ। ଏହା ଫଳରେ ସେପ୍ଟେମ୍ବର ଶେଷ ସମୟରେ ବ୍ୟାଙ୍କିଂ କାରବାର ପ୍ରଭାବିତ ହେବା ନେଇ ରହିଥିବା ଆଶଙ୍କା ମଧ୍ୟ ଦୂର ହୋଇଛି।
