Spread the love

ରାଜ୍ୟରେ ତମାଖୁ ହେବ ନିଷେଧ। ରାଜ୍ୟରେ ନିଷେଧ ହେଲା ସବୁ ପ୍ରକାର ତମାଖୁ ସାମଗ୍ରୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିୟମ ଲାଗୁ।

ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ସଂପୂର୍ଣ୍ଣ ନିଷେଧ। ନିକୋଟିନ୍ ଯୁକ୍ତ ସାମଗ୍ରୀର ଉତ୍ପାଦନ, ପ୍ୟାକେଜିଂ ନିଷେଧ, ସଂରକ୍ଷଣ, ପରିବହନ, ବାଣିଜ୍ୟ ଓ ବିକ୍ରି ଉପରେ କଟକଣା ସର୍ବଜନୀନ ସ୍ବାସ୍ଥ୍ୟ ଦୃଷ୍ଟିରୁ ସରକାରଙ୍କ ନିଷ୍ପତ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍‌ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି।

ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ବିଶ୍ବ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ବିତୀୟ ରାଉଣ୍ଡରେ ଓଡ଼ିଶାର ୪୨% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ।ସେହିପରି ଖାଦ୍ୟ ସୁରକ୍ଷା ଓ ମାନକ (ନିଷିଦ୍ଧ ଓ ବିକ୍ରି କଟକଣା) ନିୟନ୍ତ୍ରଣ, ୨୦୧୧ ଆଇନରେ ତମାଖୁ ଓ ନିକୋଟିନ୍‌ଯୁକ୍ତ ଉତ୍ପାଦର ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏସବୁକୁ ବିଚାରକୁ ନେଇ ୨୦୧୩ରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍‌ ଉତ୍ପାଦ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ କରିଥିଲେ।ମାତ୍ର ପରବର୍ତ୍ତୀ ସମୟରେ ଗୁଟ୍‌ଖା କମ୍ପାନିମାନେ ଗୋଟିଏ ପ୍ୟାକେଟ୍‌ରେ ତମାଖୁ ଓ ଅନ୍ୟ ପ୍ୟାକେଟ୍‌ରେ ଚୋବାଇବା ଉତ୍ପାଦ ବିକ୍ରି କରୁଥିବା ନଜରକୁ ଆସିଥିଲା। ଯାହାଫଳରେ ଲୋକମାନେ ଏହି ଦୁଇ ଉତ୍ପାଦକୁ ମିଶାଇ ପୂର୍ବଭଳି ଖାଇଥିଲେ।ଏଭଳି ତମାଖୁ ଓ ନିକୋଟିନ୍‌ଯୁକ୍ତ ଅନେକ ଉତ୍ପାଦ ବିଭିନ୍ନ ନାଁରେ ବଜାରରେ ଉପଲବ୍ଧ ହେଉଛି। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ସବୁ ରାଜ୍ୟମାନଙ୍କୁ ଏହା ଉପରେ ମତ ରଖିବାକୁ ଆହ୍ବାନ କରିଥିଲେ। ସୁପିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତମାଖୁ ଓ ନିକୋଟିନ୍‌ଯୁକ୍ତ ଉତ୍ପାଦ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।ତେଣୁ ଚୋବାଇ ହେଉଥିବା କିମ୍ବା ଅନ୍ୟ ସୁଗନ୍ଧିତ ତମାଖୁ ଉତ୍ପାଦର ବିକ୍ରିକୁ ନିଷିଦ୍ଧ କରାଯାଇଛି। ସେହିପରି ପ୍ୟାକେଟ୍‌ କିମ୍ବା ବିନା ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଉତ୍ପାଦ କିମ୍ବା ସହଜରେ ଅନ୍ୟ ଉତ୍ପାଦ ସହ ସହଜରେ ମିଶି ପାରୁଥିବା ଉତ୍ପାଦର ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ନୂଆ ବିଜ୍ଞପ୍ତି ଜାରି ହେବା ସହ ୨୦୧୩ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ହଟାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *