Spread the love

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଚିନ୍ତାଜନକ ରହିଛି। ଏପରି ସ୍ଥିତିରେ ବିଶ୍ୱର ମହାଶକ୍ତିମାନେ ମଧ୍ୟ ଏହି ମାମଲାରେ ମୁଣ୍ଡ ପୁରାଇବା ଆରମ୍ଭ କରିଛନ୍ତି। ଯେଉଁଠି ଚୀନ ପୁଣି ଥରେ ପାକିସ୍ତାନ ସହ ଛିଡ଼ା ହୋଇଥିବା ଦେଖାଯାଉଛି, ସେହିପରି ଅନ୍ୟପଟେ ଆମେରିକା ଭାରତର ଆତ୍ମରକ୍ଷା ଅଧିକାର ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ତା’ର ସମର୍ଥନ ପୁନର୍ବାର ଦୋହରାଇଛି।

ଗୁରୁବାର, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗସେଥ୍‌ ମଧ୍ୟରେ ଟେଲିଫୋନ୍‌ ଯୋଗେ ଆଲୋଚନା ହୋଇଛି। ଏହି ଆଲୋଚନା ସମୟରେ ହେଗସେଥ୍‌ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଆମେରିକା ଭାରତ ସହ ଏକଜୁଟ୍‌ ହୋଇ ରହିଛି ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ତା’ର ସମର୍ଥନ ଜାରି ରହିଛି। ରାଜନାଥ ସିଂହ ମଧ୍ୟ ଦୃଢ଼ତାର ସହ କହିଛନ୍ତି ଯେ ପାକିସ୍ତାନ ଏବେ ଏକ ଏପରି ଏକ ରାଷ୍ଟ୍ର ଯିଏ ଆତଙ୍କବାଦକୁ ତାଲିମ, ଅର୍ଥ ଯୋଗାଣ ଓ ରାଜନୈତିକ ସମର୍ଥନ ପ୍ରଦାନ କରୁଛି।ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଭାରତ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛି ଯେ ଆତଙ୍କବାଦ ପରି ନୃଶଂସ କାର୍ଯ୍ୟ ଉପରେ ଏବେ ନୀରବ ରହିବା ଉଚିତ ନୁହେଁ । ବରଂ ସମସ୍ତେ ମିଶି ଏହା ବିରୋଧରେ ଏକାଠି ହେବା ଆବଶ୍ୟକ।ଅନ୍ୟପକ୍ଷରେ, ଚୀନ ପୁଣି ଥରେ ପାକିସ୍ତାନ ସହ ତା’ର ବନ୍ଧୁତ୍ୱର ପରିଚୟ ଦେଇଛି। ଇସଲାମାବାଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସହ ଚୀନ ରାଜଦୂତ ଜିଆଙ୍ଗ ଜେଡୋଙ୍ଗଙ୍କ ବୈଠକ ସମୟରେ ଚୀନ ପାକିସ୍ତାନର ସମର୍ଥନରେ ଖୋଲାଖୋଲି ଘୋଷଣା କରିଛି।

Leave a Reply

Your email address will not be published. Required fields are marked *