Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଭାରତ-ଫିନଲ୍ୟାଣ୍ଡ ଭର୍ଚୁଆଲ ଶିଖର ସମ୍ମିଳନୀ

 

 

 

ଜେ ବି ଏନ, ୧୬/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗର ବ୍ୟାପକ ଦିଗ ସମେତ ଆପୋସ ହିତ ସମ୍ବଳିତ କ୍ଷେତ୍ରୀୟ ଏବଂ ବହୁପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

 

 

 

ଉଭୟ ନେତା ଉଲ୍ଲେଖ କରିଥିଲେ ଯେ ଭାରତ ଓ ଫିନଲ୍ୟାଣ୍ଡ ମଧ୍ୟରେ ନିବିଡ଼ ସମ୍ପର୍କ ଗଣତନ୍ତ୍ର, ଆଇନର ଶାସନ, ସମାନତା, ବାକ୍ ସ୍ୱାଧୀନତା ଏବଂ ମାନବାଧିକାର ପ୍ରତି ସମ୍ମାନର ସହଭାଗୀ ମୂଲ୍ୟବୋଧ ଉପରେ ଆଧାରିତ। ବହୁପକ୍ଷବାଦ, ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା, ଚିରସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସେମାନେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

 

 

 

ଦୁଇ ନେତା ବର୍ତ୍ତମାନର ଦ୍ୱିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, 5G/6G ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ସମେତ ବାଣିଜ୍ୟ ଓ ନିବେଶ, ନବୋନ୍ମେଷ, ଶିକ୍ଷା, ଉଦୀୟମାନ ପ୍ରଯୁକ୍ତି ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ବିସ୍ତାରିତ ତଥା ବିବିଧକରଣ କରିବା ନେଇ ଆଶାବ୍ୟକ୍ତ କରିଥିଲେ।

 

 

 

ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛ ଓ ସବୁଜ ପ୍ରଯୁକ୍ତିରେ ଫିନଲ୍ୟାଣ୍ଡର ଭୂମିକାକୁ ପ୍ରଶଂସା କରିବା ସହିତ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ଭାରତର ଅଭିଯାନରେ ଫିନିଶ କମ୍ପାନୀଗୁଡ଼ିକର ସହଭାଗିତା ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଅକ୍ଷୟ ଏବଂ ଜୈବିକ ଶକ୍ତି, ସ୍ଥିରତା, ଶିକ୍ଷା-ପ୍ରଯୁକ୍ତି, ଫାର୍ମା, ଡିଜିଟାଇଜେସନ ଭଳି କ୍ଷେତ୍ରରେ ବର୍ଦ୍ଧିତ ସହଯୋଗ ନିମନ୍ତେ ପରାମର୍ଶ ଦେଇଥିଲେ।

 

 

 

ଦୁଇ ପ୍ରଧାନମନ୍ତ୍ରୀ ଭାରତ-ୟୁରୋପୀୟ ସଂଘ ସହଭାଗିତା, ଆର୍କଟିକ କ୍ଷେତ୍ରରେ ସହଯୋଗ, ଡବ୍ଲୁଟିଓ ଏବଂ ମିଳିତ ଜାତିସଂଘରେ ସଂସ୍କାର ସମେତ କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତବିନିମୟ କରିଥିଲେ। ଆଫ୍ରିକାରେ ବିକାଶମୂଳକ କାର୍ଯ୍ୟକଳାପ ଲାଗି ଭାରତ ଓ ଫିନଲ୍ୟାଣ୍ଡ ମଧ୍ୟରେ ସହଯୋଗର ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ।

 

 

 

ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍ଏ) ଏବଂ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ)ରେ ଯୋଗ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଫିନଲ୍ୟାଣ୍ଡକୁ ଆମନ୍ତ୍ରଣ କରିଥିଲେ।

 

 

 

ଦୁଇ ପ୍ରଧାନମନ୍ତ୍ରୀ ସେମାନଙ୍କ ଦେଶରେ କୋଭିଡ-୧୯ ପରିସ୍ଥିତି ଏବଂ ଟିକାକରଣ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସମସ୍ତ ଦେଶକୁ ଜରୁରିକାଳୀନ ଏବଂ ସୁଲଭ ଦରରେ ଟୀକା ଯୋଗାଇ ଦେବା ନିମନ୍ତେ ବିଶ୍ୱସ୍ତରୀୟ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ।

 

 

 

ଆଗାମୀ ପୋର୍ତୋ ଏବଂ ଭାରତ-ନୋର୍ଡିକ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ପରବର୍ତ୍ତୀ ସାକ୍ଷାତ ଆଲୋଚନା ପ୍ରତି ଉଭୟ ନେତା ସେମାନଙ୍କର ବିଶେଷ ଆଗ୍ରହ ପ୍ରକଟ କରିଥିଲେ।