Spread the love

ଭିଜିଲାନ୍ସ ଚଢ଼ାଉରେ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତିର ଲମ୍ବା ତାଲିକା

୪ଟି ବହୁତଳ କୋଠା, ୩-ବିଏଚ୍‌କେ ଫ୍ଲାଟ୍‌ ଓ ୨୪ଟି ମୂଲ୍ୟବାନ ପ୍ଲଟ୍‌ ଠାବ

ସମ୍ବଲପୁର/ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ସମ୍ବଲପୁରର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପର୍କିତ ସମ୍ପତ୍ତି ଉପରେ ଚାଲିଥିବା ଭିଜିଲାନ୍ସ ତଲାସୀରୁ ଏପର୍ଯ୍ୟନ୍ତ ବହୁ ସମ୍ପତ୍ତିର ସନ୍ଧାନ ମିଳିଛି। ଶ୍ରୀ ସାମନ୍ତରାୟ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସମ୍ପତ୍ତି ମଧ୍ୟରୁ ୪ଟି ବହୁତଳ କୋଠା, ଗୋଟିଏ ୩-ବିଏଚ୍‌କେ ଫ୍ଲାଟ୍‌ ଏବଂ ୨୪ଟି ଉଚ୍ଚମୂଲ୍ୟର ପ୍ଲଟ୍‌ ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଭିଜିଲାନ୍ସ ତଲାସୀରେ ଠାବ ହୋଇଥିବା ପ୍ରମୁଖ ସମ୍ପତ୍ତିଗୁଡ଼ିକ ହେଲା—

  • ଭୁବନେଶ୍ୱର ନନ୍ଦନବିହାର, ନନ୍ଦନକାନନ ରୋଡ୍‌ରେ ପ୍ରାୟ ୨,୯୦୦ ବର୍ଗଫୁଟ୍‌ର ଏକ ଡୁପ୍ଲେକ୍ସ।
  • ଜଟଣୀ ନିକଟ ବାରକୁଡ଼ାରେ ପ୍ରାୟ ୨,୪୬୦ ବର୍ଗଫୁଟ୍‌ର ଏକ କୋଠା।
  • ପୁରୀ ବାଲିଗୁଆଳି ଅନ୍ତର୍ଗତ ତୋଟା ବେହେରା ସାହିରେ ପ୍ରାୟ ୪,୦୦୦ ବର୍ଗଫୁଟ୍‌ର ତିନି ମହଲା କୋଠା।
  • ଖୋର୍ଦ୍ଧା ବାଲୁଗାଁ ସୁବାସ ମାର୍ଗରେ ପ୍ରାୟ ୪,୦୦୦ ବର୍ଗଫୁଟ୍‌ର ଦୁଇ ମହଲା କୋଠା।
  • ସମ୍ବଲପୁର ଧନକଉଦାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ପ୍ରାୟ ୨,୦୦୦ ବର୍ଗଫୁଟ୍‌ର ଏକ ୩-ବିଏଚ୍‌କେ ଆବାସିକ ଫ୍ଲାଟ୍‌।

ଏଥିସହ ୨୪ଟି ଉଚ୍ଚମୂଲ୍ୟର ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଏଥିରୁ ଭୁବନେଶ୍ୱର ଓ ଜଟଣୀର ପ୍ରମୁଖ ଅଞ୍ଚଳରେ ୮ଟି, ଖୋର୍ଦ୍ଧା ସହର ଉପକଣ୍ଠରେ ୩ଟି, ସମ୍ବଲପୁର ସହର ଓ ଆଖପାଖରେ ୮ଟି, ବୁର୍ଲାରେ ୩ଟି ଏବଂ ରେଙ୍ଗାଲିରେ ୨ଟି ପ୍ଲଟ୍‌ ଥିବା ଭିଜିଲାନ୍ସ କହିଛି।

ଠାବ ହୋଇଥିବା ଘର, ଫ୍ଲାଟ୍‌ ଓ ପ୍ଲଟ୍‌ଗୁଡ଼ିକର ମାପ ଏବଂ ମୂଲ୍ୟାୟନ ଭିଜିଲାନ୍ସର ଟେକ୍ନିକାଲ୍‌ ୱିଙ୍ଗ୍‌ ପକ୍ଷରୁ କରାଯାଉଛି। ଏହାସହ ବ୍ୟାଙ୍କ ଜମା ଓ ବିଭିନ୍ନ ଆର୍ଥିକ ନିବେଶ ସମ୍ପର୍କିତ ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି।

ତଲାସୀ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏନେଇ ଆହୁରି ତଥ୍ୟ ପରବର୍ତ୍ତୀ ରିପୋର୍ଟରେ ଆସିବ।

Leave a Reply

Your email address will not be published. Required fields are marked *