ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଥିବା ଦୁର୍ଲଭ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଅଳଙ୍କାରଗୁଡ଼ିକ ଶ୍ରୀଅଙ୍ଗରୁ ଓଲାଗି ହେବା ପରେ ନିୟମ ଅନୁଯାୟୀ ଏହି ଗଣତି ମଣତି କରାଯାଇଥିଲା।
ଦିନ ୧୧ଟା ୩୬ ମିନିଟ୍ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାର ମଧ୍ୟରୁ ସୁନା ଚିତା, ରାହୁରେଖା ଏବଂ ରୂପା ରସିକ ଶୁଆ ଥଣ୍ଟିଆ ଆଦିର ଗଣତି ମଣତି କରାଯାଇଛି।
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରକୁ ନେଇ ଶ୍ରୀମନ୍ଦିରରେ ଶେଷ ହୋଇଛି ଗୁରୁତ୍ୱପୂର୍ଣ୍ଣ ଗଣତି ଓ ମେଳକ ପ୍ରକ୍ରିୟା। ଖଟଶେଜ ଘରେ ଦୀର୍ଘ ସମୟ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି, ଓଜନ, ଭିଡିଓଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯାଇଛି।
ରବିବାର ପୂର୍ବାହ୍ନ ୧୧ଟା ୩୧ ମିନିଟ୍ରୁ ଆରମ୍ଭ ହୋଇଥିବା ଗଣତି ମଣତି ପ୍ରକ୍ରିୟା ଅପରାହ୍ନ ୧ଟା ୫୮ ମିନିଟ୍ରେ ଶେଷ ହୋଇଥିଲା। ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଧରି ଚାଲିଥିବା ଏହି କାର୍ଯ୍ୟରେ ସୁନା ଚିତା, ରାହୁରେଖା ଓ ରୂପା ରସିକ ଶୁଆ ଥଣ୍ଟିଆ ସମେତ ୯ଟି ଅଳଙ୍କାରର ତଥ୍ୟ ସଂଗ୍ରହ କରାଯାଇଛି।
ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏବେ ବି ଲାଗି ରହିଥିବାରୁ ‘ଝୋବା କଣ୍ଠୀ’ର ଗଣତି ମଣତି ହୋଇପାରିନାହିଁ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାର ଗଣତି ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ମୋଟ ପ୍ରାୟ ୭୮ ଘଣ୍ଟା ୩ ମିନିଟ୍ ଧରି ଗଣତି ମଣତି କାର୍ଯ୍ୟ ଚାଲିଛି। ଏହି ପ୍ରକ୍ରିୟା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ଜେମୋଲୋଜିଷ୍ଟ, ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପ ଓ ପ୍ରାଧିକୃତ ସେବାୟତମାନେ ଉପସ୍ଥିତ ଥିଲେ।
ଏହି ପବିତ୍ର ଅଳଙ୍କାରଗୁଡ଼ିକର ସୁରକ୍ଷା ଓ ହିସାବ-ନିକାଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକ୍ରିୟା ନିୟମାନୁସାରେ ସମ୍ପନ୍ନ କରାଯାଇଛି।
