Spread the love

ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା, ସିଭିଲ ସୋସାଇଟିର ଭୂମିକା ଏବଂ ପ୍ରେସ୍‌ ସ୍ବାଧୀନତା ପ୍ରସଙ୍ଗରେ ସେ ମୋଦିଙ୍କ ସହ ଆଲୋଚନା କରିଥିଲେ।

ଉଭୟ ନେତା ଦ୍ୱିପାକ୍ଷିକ ସାମରିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଜି୨୦ର ଆୟୋଜନ ଓ ଆତିଥେୟତା ପାଇଁ ବାଇଡେନ୍‌ ମୋଦିଙ୍କ ନେତୃତ୍ୱକୁ ପୁନର୍ବାର ଧନ୍ୟବାଦ ଜଣାଇଛନ୍ତି।
ଆମେରିକା ରାଷ୍ଟ୍ରପତି କହିଛନ୍ତି, ସେ ସବୁଥର ଭଳି ଏଥର ମଧ୍ୟ ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ ମାନବାଧିକାରକୁ ସମ୍ମାନ ଦେବାର ଗୁରୁତ୍ୱ ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ଏକ ସୁଦୃଢ଼ ଓ ସମୃଦ୍ଧ ଦେଶ ନିର୍ମାଣରେ ସିଭିଲ୍‌ ସୋସାଇଟି ଏବଂ ପ୍ରେସ୍‌ ସ୍ବାଧୀନତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନେଇ ବାଇଡେନ୍‌ ମୋଦିଙ୍କୁ ଅବଗତ କରାଇଥିଲେ ବୋଲି କହିଛନ୍ତି। ଶୁକ୍ରବାର ମୋଦି-ବାଇଡେନ୍‌ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ମିଳିତ ବିବୃତିରେ ସ୍ବାଧୀନତା, ଗଣତନ୍ତ୍ର, ମାନବାଧିକାର, ସମାବେଶୀ, ବହୁଳବାଦ ଏବଂ ସମସ୍ତ ନାଗରିକଙ୍କୁ ସମାନ ସୁଯୋଗ ଉଭୟ ଦେଶର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଏବଂ ଏହାର ମୂଲ୍ୟବୋଧ ଆମ ସମ୍ପର୍କକୁ ମଜଭୁତ କରିଥିବା କଥା କୁହାଯାଇଥିଲା। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ଉପରେ ବାଇଡେନ୍‌ କହିଛନ୍ତି, ପରିବର୍ତ୍ତନକାରୀ ଆର୍ଥିକ ନିବେଶ ପାଇଁ ଏହା ବିପୁଳ ସୁଯୋଗ ସୃଷ୍ଟି କରିବ। ୟୁକ୍ରେନ୍‌ରେ ବେଆଇନ ଯୁଦ୍ଧକୁ ନେଇ ମଧ୍ୟ ଜି୨୦ ସମିଟ୍‌ରେ ଆଲୋଚନା ହୋଇଥିଲା। ଦୀର୍ଘମିଆଦୀ ଶାନ୍ତି ସ୍ଥାପନର ଆବଶ୍ୟକତା ଉପରେ ଯଥେଷ୍ଟ ସହମତି ମିଳିଥିଲା ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଭିଏଟ୍‌ନାମ ସମେତ ଅନ୍ୟ ଏସୀୟ ଦେଶଗୁଡ଼ିକ ସହ ସମ୍ପର୍କକୁ ମଜଭୁତ କରି ବିଶ୍ୱରେ ସ୍ଥିରତା ବଜାୟ ରଖିବା ତାଙ୍କର ଲକ୍ଷ୍ୟ ବୋଲି ବାଇଡେନ୍ କହିଛନ୍ତି।

Leave a Reply

Your email address will not be published. Required fields are marked *