Spread the love

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ

ଜୟପୁର: ସୌନ୍ଦର୍ଯ୍ୟ, ପ୍ରତିଭା ଓ ଆତ୍ମବିଶ୍ୱାସର ଜାତୀୟ ମଞ୍ଚରେ କେରଳର କାଜିଆ ଲିଜ୍ ମେଜୋଙ୍କ ବଡ଼ ସଫଳତା। ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ତୃତୀୟ ସଂସ୍କରଣରେ ୧୯ ବର୍ଷୀୟା କାଜିଆ ବିଜୟୀ ହୋଇ ଦେଶର ନୂଆ ବ୍ୟୁଟି କୁଇନ୍‌ ଭାବେ ନିଜ ନାମ ଲେଖାଇଛନ୍ତି।

ଅଗଷ୍ଟ ୨୩ରେ ଜୟପୁରସ୍ଥିତ ଜୀ ଷ୍ଟୁଡିଓରେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ କାଜିଆ ନିଜର ଦମଦାର ପ୍ରଦର୍ଶନ ଓ ଆତ୍ମବିଶ୍ୱାସ ବଳରେ ବିଜୟ ହାସଲ କରିଥିଲେ।

ଶେଷ ୫ରେ କିଏ କିଏ?

ଗ୍ରାଣ୍ଡ ଫିନାଲେର ଶେଷ ପର୍ଯ୍ୟାୟରେ ୫ ଜଣ ପ୍ରତିଯୋଗୀ ସ୍ଥାନ ପାଇଥିଲେ। ସେମାନେ ହେଲେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କାଜିଆ ଲିଜ୍ ମେଜୋ, ଗୁଜରାଟର ଅନୁଶ୍ରୀ ସାତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ।

ଶେଷ ରାଉଣ୍ଡରେ କାଜିଆ ଓ ବୈଷ୍ଣବୀ ଗଣେଶଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ବିଶେଷକରି ୪୦ ସେକେଣ୍ଡର ଶେଷ ମନ୍ତବ୍ୟ ଚ୍ୟାଲେଞ୍ଜରେ କାଜିଆଙ୍କ ଆତ୍ମବିଶ୍ୱାସ ଓ ଉତ୍ତର ବିଚାରକମାନଙ୍କୁ ପ୍ରଭାବିତ କରିଥିଲା। ଶେଷରେ ତାଙ୍କ ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଯାଇଥିଲା।

କିଏ କେଉଁ ସ୍ଥାନରେ?

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ଟାଇଟଲ୍ କାଜିଆ ଲିଜ୍ ମେଜୋ ହାସଲ କରିଥିବାବେଳେ ତାମିଲନାଡୁର ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଗୁଜରାଟର ଅନୁଶ୍ରୀ ସାତୱାଲେକର ଦ୍ୱିତୀୟ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ ତୃତୀୟ ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ଚତୁର୍ଥ ରନର୍ସଅପ୍ ହୋଇଛନ୍ତି।

ବିଜୟୀ କାଜିଆଙ୍କୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ମୁକୁଟ ପିନ୍ଧାଇଥିଲେ।

ସୌନ୍ଦର୍ଯ୍ୟ ସହ ଶିକ୍ଷା ଓ ନୃତ୍ୟରେ ମଧ୍ୟ ପାରଙ୍ଗମ

କାଜିଆ କେବଳ ମଡେଲିଂ କ୍ଷେତ୍ରରେ ସୀମିତ ନୁହନ୍ତି। ୧୯ ବର୍ଷୀୟା କାଜିଆ ଜଣେ ଆଇନ ଛାତ୍ରୀ ହେବା ସହ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ଏହା ପୂର୍ବରୁ ସେ ମିସ୍ ଟିନ୍ ଇଣ୍ଟରନ୍ୟାସନାଲ୍‌ରେ ଭାରତକୁ ପ୍ରତିନିଧିତ୍ୱ କରି ପ୍ରଥମ ରନର୍ସଅପ୍ ହୋଇଥିଲେ। ଜାତୀୟ ମଞ୍ଚକୁ ଆସିବା ପୂର୍ବରୁ ସେ ମିସ୍ ୟୁନିଭର୍ସ କେରଳ ୨୦୨୬ ଟାଇଟଲ୍ ମଧ୍ୟ ହାସଲ କରିଥିଲେ।

ବିଚାରକ ମଣ୍ଡଳୀରେ ଷ୍ଟାର୍‌ଙ୍କ ଭିଡ଼

ଏହି ବର୍ଷର ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ପୂର୍ବତନ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌, ଅଭିନେତ୍ରୀ ଉର୍ବଶୀ ରାଉତେଲା ଓ ସେଲିନା ଜେଟଲୀଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା ପ୍ରଜ୍ଞା କପୁର ବିଚାରକ ମଣ୍ଡଳୀରେ ସାମିଲ ଥିଲେ।

ଏବେ ନଜର ଅନ୍ତର୍ଜାତୀୟ ମଞ୍ଚ ଉପରେ

ଜାତୀୟ ମୁକୁଟ ହାସଲ କରିବା ପରେ କାଜିଆଙ୍କ ଆଗରେ ଏବେ ରହିଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ। ନଭେମ୍ବର ୨୦୨୬ରେ ପୁଏର୍ଟୋ ରିକୋରେ ହେବାକୁ ଥିବା ମିସ୍ ୟୁନିଭର୍ସ ୨୦୨୬ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଜାତୀୟ ମଞ୍ଚରେ ସଫଳତା ପରେ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ନାମ ଉଜ୍ଜ୍ୱଳ କରିବା ଲକ୍ଷ୍ୟରେ କାଜିଆ ଆଗକୁ ବଢ଼ିବେ।

Leave a Reply

Your email address will not be published. Required fields are marked *