Spread the love

ଟି ଏମ ସି ସାଂସଦ ତଥା ନିଜ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାସ୍ଥିତ ଆପୋଲୋ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ହସ୍ପିଟାଲରେ ଅଭିଷେକଙ୍କ ସହ ସାକ୍ଷାତ କରିବା ପରେ ମମତା ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ସେ ସୋସିଆଲ ମିଡିଆରେ ଆକ୍ରମଣ ସମୟର ଭିଡିଓ ସେୟାର କରି ଶାସକ ଦଳ ଉପରେ ତୀବ୍ର ଆକ୍ରମଣ କରିବା ସହ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ କଡ଼ା ନିନ୍ଦା କରାଯାଇଛି। ଦଳର ଅଭିଯୋଗ ଅନୁଯାୟୀ, ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ପରିବାରଙ୍କୁ ଭେଟିବାକୁ ଯାଇଥିବାବେଳେ ଅଭିଷେକଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରାଯାଇଥିଲା। ଟିଏମସି ନେତାମାନେ କହିଛନ୍ତି ଯେ ଏହି ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ପ୍ରଶ୍ନବାଚୀ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି।ଘଟଣାକୁ ନେଇ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ଘଟଣାର ନିନ୍ଦା କରିଛନ୍ତି। ସେମାନେ ଏହାକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଘାତ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *