Spread the love

ଭୂବନେଶ୍ବର, ୧୮/୦୧ : ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ; ଏହା ଏକ ସାମାଜିକ ବ୍ୟାଧି । ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପଜିଲାପାଳ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାକୁ ଏକ ଯୌତୁକମୁକ୍ତ ରାଜ୍ୟ ଭାବେ ପରିପ୍ରକାଶ କରିବା ନିମନ୍ତେ ମତ ରଖିଥିଲେ।

ଉପଜିଲାପାଳଙ୍କ ତତ୍ତ୍ବାବଧାନରେ ତୃଣମୂଳସ୍ତରରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ଆଲୋଚନା ହେବାର ଆବଶ୍ୟକତା ଥିବା ସେ ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ଉପଜିଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି। ଏହି ଆଇନ ଅନୁଯାୟୀ ଯୌତୁକ ନିଷେଧ ଅଧିକାରୀଙ୍କୁ ଯୌତୁକ ମାମଲାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ଅନୁସନ୍ଧାନ କରିବା ଏବଂ ପ୍ରମାଣ ସଂଗ୍ରହ କରିବାକୁ କ୍ଷମତା ପ୍ରଦାନ କରାଯାଇଛି। ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲାର ଉପଜିଲାପାଳ ଏବଂ ମୁଖ୍ୟବକ୍ତା ଭାବେ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଦୀପକ ନରେନ୍ଦ୍ର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *