### ବନ୍ୟାରେ କ୍ଷତିଗ୍ରସ୍ତ ମାଣ୍ଡାସାରୁ ରାସ୍ତାର ହେବ ପୁନରୁଦ୍ଧାର, ସ୍ଥାୟୀ ସମାଧାନ ପାଇଁ ନିର୍ମାଣ ହେବ ଛୋଟ ପୋଲ
ରାଇକିଆ/କନ୍ଧମାଳ: ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ରାସ୍ତାର ମରାମତି ଓ ପୁନରୁଦ୍ଧାର ପାଇଁ ତତ୍ପର ହୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି କ୍ରମରେ ଫୁଲବାଣୀ ଡିଭିଜନ୍ ଅନ୍ତର୍ଗତ ରାଇକିଆ ବ୍ଲକର ମାଣ୍ଡାସାରୁକୁ ସଂଯୋଗ କରୁଥିବା ବନ୍ୟା କ୍ଷତିଗ୍ରସ୍ତ ରାସ୍ତାର ସ୍ଥିତି ଉଚ୍ଚପଦସ୍ଥ ଯନ୍ତ୍ରୀମାନେ ଅନୁଧ୍ୟାନ କରିଛନ୍ତି।
ଏହି ଅନୁଧ୍ୟାନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ ଆଣ୍ଡ ବ୍ରିଜ୍) ଏବଂ ମୁଖ୍ୟଯନ୍ତ୍ରୀ (ରାସ୍ତା) ସାମିଲ ହୋଇ କ୍ଷତିଗ୍ରସ୍ତ ରାସ୍ତାର ବିଭିନ୍ନ ଅଂଶ ଯାଞ୍ଚ କରିଥିଲେ। ଏହି ସମୟରେ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ଡିଭିଜନର ଯନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ବନ୍ୟାଜଳ ପ୍ରବାହ ଯୋଗୁଁ ରାସ୍ତାର କେତେକ ଅଂଶ ଭାଙ୍ଗିଯାଇଥିବାରୁ ଏହାର ଶୀଘ୍ର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି। ବନ୍ୟାଜଳ ସମ୍ପୂର୍ଣ୍ଣ ହ୍ରାସ ପାଇବା ପରେ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ତୁରନ୍ତ ମରାମତି ଓ ଯାତାୟାତ ବ୍ୟବସ୍ଥାର ପୁନରୁଦ୍ଧାର କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟଯନ୍ତ୍ରୀମାନେ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ତତ୍କାଳୀନ ମରାମତି ନୁହେଁ, ଭବିଷ୍ୟତରେ ଏଭଳି ବନ୍ୟା ପରିସ୍ଥିତିରେ ରାସ୍ତା ଯେପରି ପୁନର୍ବାର କ୍ଷତିଗ୍ରସ୍ତ ନହୁଏ, ସେଥିପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ମଧ୍ୟ ଯୋଜନା କରାଯାଇଛି। ଏହି ରାସ୍ତାରେ ଜଳ ନିଷ୍କାସନ ଓ ଯାତାୟାତକୁ ସୁଗମ କରିବା ଉଦ୍ଦେଶ୍ୟରେ ଏକ ଛୋଟ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଯନ୍ତ୍ରୀମାନଙ୍କୁ କୁହାଯାଇଛି।
ବିଭାଗର ଏହି ପଦକ୍ଷେପ ଦ୍ୱାରା ମାଣ୍ଡାସାରୁ ଅଞ୍ଚଳର ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ ସହ ଆଗାମୀ ଦିନରେ ରାସ୍ତାର ସ୍ଥାୟୀ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି।
