Spread the love

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ଫୁଡ୍ ସେଫଟି ଟିମ୍‌ର ଚଢ଼ାଉ ଜାରି ରହିଥିଲା, ମିଠା ଦୋକାନରେ ଯାଞ୍ଚ ହୋଇଥବା ଦେଖିବାକୁ ମିଳିଥିଲା

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାକୁ ନଜରରେ ରଖି ରାଜଧାନୀ ଭୁବନେଶ୍ୱରରେ ମିଠା ଦୋକାନଗୁଡ଼ିକ ଉପରେ ବଢ଼ିଛି ଫୁଡ୍ ସେଫଟି ବିଭାଗର ନଜର। ମିଠାର ଚାହିଦା ବଢ଼ିଥିବା ବେଳେ ଖାଦ୍ୟର ମାନ ଓ ପ୍ରସ୍ତୁତିର ସ୍ୱଚ୍ଛତା ଯାଞ୍ଚ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ବିଏମସିର ଫୁଡ୍ ସେଫଟି ଟିମ୍।

ଜାଗମରା, ଡେଲଟା ଛକ, ଶିରିପୁର ସମେତ ବିଭିନ୍ନ ଅଞ୍ଚଳର ମିଠା ଦୋକାନରେ ପହଞ୍ଚି ଅଧିକାରୀମାନେ ଛେନା, ପନିର ଓ ବିଭିନ୍ନ ମିଠାର ନମୁନା ସଂଗ୍ରହ କରି ଯାଞ୍ଚ କରୁଛନ୍ତି। ଏହାସହ ମିଠା ପ୍ରସ୍ତୁତି ସ୍ଥାନ, ଷ୍ଟୋରେଜ୍ ବ୍ୟବସ୍ଥା ଓ ସ୍ୱଚ୍ଛତା ଉପରେ ମଧ୍ୟ ଯାଞ୍ଚ କରାଯାଉଛି।

ବିଶେଷକରି ନକଲି କିମ୍ବା ଭେଜାଲ୍ ଛେନା-ପନିର, ବାସି ମିଠା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ମିଠା ପ୍ରସ୍ତୁତି ଉପରେ ଅଧିକାରୀମାନେ ନଜର ରଖିଛନ୍ତି। ନିକଟରେ ହୋଇଥିବା ଅନ୍ୟ ଏକ ଯାଞ୍ଚ ଅଭିଯାନରେ ୨୭ଟି ସନ୍ଦେହଜନକ ଛେନା ଓ ରସଗୋଲା ନମୁନା ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି।

ଯାଞ୍ଚ ବେଳେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଧରାପଡ଼ିଲେ ଦୋକାନୀଙ୍କ ବିରୋଧରେ ଜରିମାନା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କେତେକ ସ୍ଥାନରେ ବାସି ଓ ଖାଇବା ଅନୁପଯୋଗୀ ଖାଦ୍ୟ ନଷ୍ଟ ମଧ୍ୟ କରାଯାଇଛି।

ଡେଲଟା ଛକସ୍ଥିତ ମିଠାଇ ଏକ୍ସପ୍ରେସ୍ରେ ମଧ୍ୟ ଫୁଡ୍ ସେଫଟି ଟିମ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ତୃପ୍ତି ଗାଙ୍ଗୁରାମ୍ରେ ମିଠା ପ୍ରସ୍ତୁତିର ପରିବେଶକୁ ନେଇ ମଧ୍ୟ ଯାଞ୍ଚ କରାଯାଇଛି।

ରାକ୍ଷୀ ପୂର୍ଣ୍ଣିମାରେ ମିଠା କିଣିବାକୁ ଗ୍ରାହକଙ୍କ ଭିଡ଼ ବଢ଼ୁଥିବାରୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଏହି ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାହକଙ୍କୁ ନିରାପଦ ଓ ଗୁଣାତ୍ମକ ମିଠା ଯୋଗାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *