Spread the love

### ଲାଞ୍ଚ ନେଇ ଖସିବାକୁ ଉଦ୍ୟମ କରି ପୋଖରୀକୁ ଡେଇଁଲେ ପୋଲିସ୍ SI, ପିଛା କରି ଧରିଲା ଭିଜିଲାନ୍ସ

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଏସ୍‌ଆଇ, ଥାନାର ବିଶ୍ରାମଗୃହରୁ ମିଳିଲା ଆଉ ୧.୫୫ ଲକ୍ଷ ଟଙ୍କା

ସମ୍ବଲପୁର: ଲାଞ୍ଚ ନେଇ ଖସିଯିବାକୁ ଉଦ୍ୟମ କରି ଶେଷରେ ପୋଖରୀକୁ ଡେଇଁଲେ ପୋଲିସ୍ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ)। ହେଲେ ପିଛା ଛାଡ଼ିଲାନି ଭିଜିଲାନ୍ସ ଟିମ୍। ଜଣେ ଭିଜିଲାନ୍ସ କର୍ମଚାରୀ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ। ଏଭଳି ନାଟକୀୟ ଘଟଣା ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଅଞ୍ଚଳରେ ଘଟିଛି।

ଭିଜିଲାନ୍ସ ଜାଲରେ ପଡ଼ିଥିବା ପୋଲିସ୍ ଏସ୍‌ଆଇ ହେଉଛନ୍ତି ସୁଜିତ କୁମାର ମହାନ୍ତ। ସେ ମହୁଲପାଲି ଥାନାରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଅଭିଯୋଗକାରୀଙ୍କ ନାମରେ ଥାନାରେ ରୁଜୁ ହୋଇଥିବା ଏକ ମିସ୍‌ଲେନିୟସ୍‌ ମାମଲାର ଫାଇନାଲ୍ ରିପୋର୍ଟ କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଏସ୍‌ଆଇ ଜଣକ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଅଭିଯୋଗକାରୀଙ୍କୁ ଡାକିଥିଲେ। ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବରୁ ଛକି ରହିଥିବା ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ମାତ୍ର ଭିଜିଲାନ୍ସ ଟିମ୍‌କୁ ଦେଖି ସେ ଟଙ୍କା ନେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପିଛା କରିବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୦ ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଏହି ଟ୍ରାପ୍‌ ପରେ ଆୟବର୍ହିଭୂତ ସମ୍ପତ୍ତି (DA) ଦିଗରୁ ତଦନ୍ତ ଆରମ୍ଭ କରି ଏସ୍‌ଆଇଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମଗୃହରୁ ଆଉ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ନଗଦ ଜବତ ହୋଇଛି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରୁଜୁ କରାଯାଇ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ସୁଜିତ କୁମାର ମହାନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୋଲିସ୍ ସେବାରେ ଏସ୍‌ଆଇ ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *