Spread the love

ମାମଲାକୁ ରଫାଦଫା କରିବାକୁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ଲକ୍ଷ ଲାଞ୍ଚ ନେବେ ବେଳେ ଆଇପିଏସ୍‌ ଅଧିକାରୀଙ୍କୁ ସିବିଆଇ ଧରିଛି। ଲାଞ୍ଚ ନେଇ ଧରାପଡ଼ିଥିବା ବରିଷ୍ଠ ଆଇପିଏସ୍‌ ଜଣଙ୍କ ହେଲେ ପଞ୍ଜାବ(Punjab) ଅନ୍ତର୍ଗତ ରୋପର ରେଞ୍ଜର ଡିଆଇଜି ହରଚରଣ ସିଂହ ଭୁଲ୍ଲାର।ଗୋଟିଏ ମାମଲାର ରଫାଦଫା କରିବାକୁ ହରଚରଣ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀଙ୍କୁ ସେ ଟଙ୍କା ମୋହାଲି ସ୍ଥିତ ଅଫିସରେ ପହଞ୍ଚାଇବାକୁ କହିଥିଲେ। ହରଚରଣ ସିଂହଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଯୋଗକାରୀ ଟଙ୍କା ନେଇ ମୋହାଲି ସ୍ଥିତ ତାଙ୍କ ଅଫିସରେ ପହଞ୍ଚିଥିଲେ। ତାଙ୍କ ଠାରୁ ହରଚରଣ ସିଂହ ଲାଞ୍ଚ ଟଙ୍କା ନେଉଥିବା ବେଳେ ହଠାତ ସେଠାରେ ରେଡ କରିଥିଲା ସିବିଆଇ।ସେଠାରୁ ଆଇପିଏସ ହରିଚରଣଙ୍କୁ ଟଙ୍କା ସହ ସିବିଆଇ ରଙ୍ଗେ ହାତ ଧରିବାକୁ ସକ୍ଷମ ହୋଇଛି। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଡିଆଇଜିଙ୍କ ଲାଞ୍ଚ କାରବାରରେ ମଧ୍ୟସ୍ଥି ସାଜିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ରୋପର ରେଞ୍ଜ ଅଧୀନରେ ମୋହାଲି, ରୂପନଗର ଓ ଫତେଗଡ଼ ସାହିବ ଜିଲ୍ଲା ରହିଛି। ଏହାର ଡିଆଇଜି ଭାବେ ହରଚରଣ ସିଂହ ଭୁଲ୍ଲାରି କାମ କରୁଥିଲେ।

ସୂତ୍ର ଅନୁସାରେ, ଫତେଗଡ଼ର ଜଣେ ସ୍କ୍ରାପ ଡିଲରଙ୍କ ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଡିଆଇଜିଙ୍କୁ ଲାଞ୍ଚ ଟଙ୍କା ସହ ଧରିବାକୁ ଜାଲ ବିଛା ଯାଇଥିଲା। ଅଭିଯୋଗ ପାଇବା ପର ଠାରୁ ହିଁ ଡିଆଇଜି ଭୁଲ୍ଲାରଙ୍କ ଗତିବିଧି ଉପରେ ସିବିଆଇ ନଜର ରଖିଥିଲା।ମୋହାଲି ଅଫିସରୁ ଡିଆଇଜି ଗିରଫ ହେବା ପରେ ସିବିଆଇ ପକ୍ଷରୁ ତାଙ୍କ ସହ ଜଡ଼ିତ ୩ଟି ଠିକଣାରେ ରେଡ କରାଯାଇଛି। ଏହା ମଧ୍ୟରେ ତାଙ୍କ ଅଫିସ, ଘର ଓ ଆଉ ଗୋଟିଏ ସ୍ଥାନ ରହିଛି।ରେଡରେ କୌଣସି ପଞ୍ଜାବ ପୁଲିସ୍‌ ଅଧିକାରୀଙ୍କୁ ସାମିଲ କରାଯାଇ ନାହିଁ। ତଦନ୍ତରେ ସ୍ୱଚ୍ଛତା ରଖିବାକୁ ଏପରି ପଦକ୍ଷେପ ନେଇଛି ସିବିଆଇ। ଗିରଫ ପରେ ଡିଆଇଜିଙ୍କୁ ପଞ୍ଚକୁଲା ସ୍ଥିତ ଅଫିସକୁ ନେଇ ଜେରା କରାଯାଇଛି।

Leave a Reply

Your email address will not be published. Required fields are marked *