Spread the love

ଲାଲଚୌକରେ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ସୁରକ୍ଷା ଏଜେନ୍ସି, ସୂଚନା ଦେଲେ ମିଳିବ ପୁରସ୍କାର

ଶ୍ରୀନଗର, ୮/୧୧: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ସୁରକ୍ଷା ଏଜେନ୍ସି। ଆତଙ୍କବାଦୀଙ୍କୁ ଧରିବା ସହ ସେମାନଙ୍କୁ ଆଶ୍ରୟ ଓ ସହଯୋଗ ଯୋଗାଉଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀନଗରର ଐତିହାସିକ ଲାଲଚୌକ ଅଞ୍ଚଳରେ ଚାରିଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ଓ ବ୍ୟାନର ଲଗାଯାଇଛି।

ସୁରକ୍ଷା ଏଜେନ୍ସି ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ସେମାନଙ୍କ ବିଷୟରେ ବିଶ୍ୱସନୀୟ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ପୋଷ୍ଟରରେ ଉଲ୍ଲେଖ ଥିବା ଚାରିଜଣ ହେଲେ ସୋପୋରର ବିଲାଲ ଅହମ୍ମଦ ମୀର ଓ ମହମ୍ମଦ ଉମର ମୀର, କୁଲଗାମର ମହମ୍ମଦ ଲତିଫ ଭଟ୍ଟ ଏବଂ ବାରାମୂଲାର ଆବିଦ କୟୁମ ଲୋନ। ଏମାନଙ୍କ ମଧ୍ୟରୁ ମହମ୍ମଦ ଲତିଫ ଭଟ୍ଟ ଚଳିତ ବର୍ଷ ଜୁଲାଇରେ ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

ସୂଚନାଦାତାଙ୍କ ପରିଚୟ ରହିବ ଗୋପନ

ଆତଙ୍କବାଦୀଙ୍କ ରହଣିସ୍ଥଳ, ଗତିବିଧି ଓ ଯାତାୟାତ ସମ୍ପର୍କରେ କୌଣସି ତଥ୍ୟ ଥିଲେ ତୁରନ୍ତ ସୁରକ୍ଷା ଏଜେନ୍ସିକୁ ଜଣାଇବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରାଯାଇଛି। ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଏଜେନ୍ସି ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି।

ପୂର୍ବରୁ ଗୁଳି ବିନିମୟରେ ନିହତ ହୋଇଥିଲେ ଦୁଇ ଆତଙ୍କବାଦୀ

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୧୭ ତାରିଖରେ କୁପୱାଡ଼ା ଜିଲ୍ଲାର କେରନ ସେକ୍ଟର ଅନ୍ତର୍ଗତ ଜମଗୁଣ୍ଡ ଅଞ୍ଚଳରେ ନିୟନ୍ତ୍ରଣ ରେଖା (LoC) ନିକଟରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସନ୍ଦିଗ୍ଧଙ୍କ ଗତିବିଧି ଦେଖିବା ପରେ ଯବାନମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନେଟୱର୍କକୁ ଦୁର୍ବଳ କରିବା ସହ ସେମାନଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *