ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ୭୭ତମ ରକ୍ତଦାନ
ତାଳଚେର,୧୬/୧୦: ତାଳଚେରର ସର୍ବାଧିକ ରକ୍ତଦାତା ତଥା ଆଦର୍ଶ ଶିକ୍ଷକ ଶାନ୍ତନୁ କୁମାର ସାହୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ନିଜର ୭୭ତମ ରକ୍ତଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥି ଅତିଥି ଭାବେ ଯୋଗ ଦେଇ ଶାନ୍ତନୁଙ୍କୁ ୭୭ତମ ରକ୍ତଦାନ ନିମନ୍ତେ ପୁଷ୍ପଗୁଛ, ଉତ୍ତରୀୟ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ରକ୍ତଦାତା ଶାନ୍ତନୁଙ୍କୁ ଏଭଳି ମହତ କାର୍ଯ୍ୟ ନିମନ୍ତେ ସାଧୁବାଦ ଜଣାଇଥିଲେ। ତାଳଚେର ଭଳି ଖଣି ଖଦାନ ତଥା ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଅଧିକ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବ ଗୋଷ୍ଠୀ ଆଗେଇ ଆସିଲେ ଆବଶ୍ଯକୀୟ ରକ୍ତ ସଂଗ୍ରହ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ୭୭ ଥର ରକ୍ତଦାନ କରିଥିବା ଶିକ୍ଷକ ଶାନ୍ତନୁ କୁମାର ସାହୁ, ଏହି ଅବସରରେ କହିଥିଲେ ଯେ, ବର୍ତମାନ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସମସ୍ତ ସୁସ୍ଥ ବ୍ୟକ୍ତିମାନେ ନିଜ ଇଚ୍ଛା ଓ ସୁବିଧା ଅନୁସାରେ ରକ୍ତଦାନ କରିବାକୁ ଆଗେଇ ଆସିବା ଆବଶ୍ୟକ। ନିୟମିତ ରକ୍ତଦାନ ଦ୍ଵାରା ଶରୀରର କୌଣସି କ୍ଷତି ହୁଏ ନାହିଁ, ବରଂ ଏହାଦ୍ବାରା ଶାରୀରିକ ଲାଭ ଓ ମାନସିକ ଶାନ୍ତି ମିଳିଥାଏ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଏହି ରକ୍ତଦାନ କାର୍ଯ୍ୟରେ ତାଳଚେର ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ବିନୟ କୁମାର ପାଢ଼ୀ ଓ କର୍ମଚାରୀ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରେଡ଼କ୍ରସ ସୋସାଇଟିର ସକ୍ରିୟ ସଦସ୍ୟ ତଥା ସମାଜସେବୀ ବଳରାମ ପତି ଯୋଗ ଦେଇ ରକ୍ତଦାତା ଶ୍ରୀ ସାହୁଙ୍କୁ ଉତ୍ସାହିତ କରିବା ସହ ସାରା ରାଜ୍ୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ବାଛବିଚାର ନ କରି ସଭିଏଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ।

