Spread the love

ଶିଶୁଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସାମୂହିକ ସଂକଳ୍ପ

ତୁରଙ୍ଗରେ ‘ଆଙ୍ଗନ୍ କା ଉତ୍ସବ’, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ ଧର୍ମେନ୍ଦ୍ରଙ୍କ ‘ସେବା ସମ୍ବାଦ’

ଅନୁଗୋଳ: ଶିଶୁ ଓ ମାଆଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ପୋଷଣ ସଚେତନତାକୁ ଗୁରୁତ୍ୱ ଦେଇ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୁରଙ୍ଗଠାରେ ‘ଆଙ୍ଗନ୍ କା ଉତ୍ସବ’ ଆୟୋଜିତ ହୋଇଛି। ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।

ଏହି ଅବସରରେ ସେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସମେତ ହିତାଧିକାରୀମାନଙ୍କ ସହ ‘ସେବା ସମ୍ବାଦ’ କରିଥିଲେ। ଶିଶୁ ଓ ମାଆଙ୍କୁ ଅପପୁଷ୍ଟି ଏବଂ ରକ୍ତହୀନତାରୁ ରକ୍ଷା କରିବା ପାଇଁ ସନ୍ତୁଳିତ ଆହାର, ସୁସ୍ଥ ଜୀବନଶୈଳୀ ଓ ପୋଷଣ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପୋଷଣ ଅଭିଯାନର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ସହ ଶିଶୁ ଓ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ପରିବାର ଓ ସମାଜର ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଥିଲେ। ପ୍ରତ୍ୟେକ ଶିଶୁର ସୁସ୍ଥ ଶୈଶବ ହିଁ ସମୃଦ୍ଧ ଭାରତର ଭିତ୍ତି। ତେଣୁ ସାମୂହିକ ପ୍ରୟାସରେ ପ୍ରତ୍ୟେକ ଶିଶୁର ଉଜ୍ଜ୍ୱଳ ଓ ନିରୋଗ ଭବିଷ୍ୟତ ଗଢ଼ିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ବହୁ ଜନପ୍ରତିନିଧି, କର୍ମୀ ଓ ଅଙ୍ଗନୱାଡି-ଆଶା କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *