ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ଉଦ୍ଘାଟିତ
ତାଳଚେର, ୨୭/୧୧ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୪ତମ ବାର୍ଷିକ କ୍ରୀଡ଼ାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ ତଥା ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ ପ୍ରକାଶ କୁମାର ଗଡ଼ନାୟକ, ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଆନୀଲ କୁମାର ଦେହୁରୀ ଏବଂ ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ଉପସଭାପତି ତପନ କୁମାର ସାହୁ ଓ କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସର୍ବପ୍ରଥମେ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳାଙ୍କ ପୀଠରୁ କ୍ରୀଡ଼ା ମଶାଲକୁ ଏକ ଶୋଭାଯାତ୍ରାରେ ଆଣି ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଥାପନ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ପ୍ରକାଶ ଗଡ଼ନାୟକ କ୍ରୀଡ଼ା ପତାକା ଉତୋଳନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ, ଗଭୀର ଆତ୍ମନିଷ୍ଠା ଓ ପ୍ରଚୁର ଆତ୍ମବିଶ୍ୱାସ ଆବଶ୍ୟକ ଯାହା କ୍ରୀଡ଼ା ହିଁ ପ୍ରଦାନ କରିଥାଏ । ମୁଖ୍ୟ ବକ୍ତା ଅନୀଲ କୁମାର ଦେହୁରୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ମୋବାଇଲମନସ୍କ ନ ହୋଇ ନିୟମିତ ଖେଳକୁଦ ଓ ଶାରିରୀକ ବ୍ୟାୟାମ ମାଧ୍ୟମରେ ନିଜକୁ ସୁସ୍ଥ ସବଳ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଶାରୀରିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶାରୀରିକ ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ସାହୁ ଓ କମଳ ଲୋଚନ ପ୍ରଧାନ ଖେଳ ପରିଚାଳନା କରିଥିଲେ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ଉଦ୍ଯାପିତ ହେବ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପଂଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
