Spread the love

ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଙ୍କୁ ଲାଗି ହେଲା ୧୦୮ ବାଳନୈବେଦ୍ୟ

ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ଶ୍ରୀ ଦଧିବାମନ ଧାମରେ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଅଷ୍ଟୋତ୍ତର ଶତଅମୃତ ମଣୋହୀ ବାଳନୈବେଦ୍ୟ (୧୦୮) ଭୋଗ ପରମ୍ପରାକ୍ରମେ ଲାଗି ହୋଇଥିଲା । ଏହି ଅବସରରେ ଆଜି ପ୍ରାତଃ ସମୟରେ ମନ୍ଦିର ସେବକଙ୍କ ଦ୍ବାରା ଶୁଭ ଶଙ୍ଖନାଦ କରି ଶ୍ରୀଦଧିବାମନ ମହାପ୍ରଭୁଙ୍କ ପହଡ଼ଭଙ୍ଗ ନୀତି, ଦ୍ବାରଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି, ବେଶ ପରିବର୍ତ୍ତନ, ଗୋପାଳ ବଲ୍ଲଭ ଭୋଗ, ଦ୍ଵାରପାଳ ପୂଜା, ରୋଷ ପୂଜା, ସକାଳ ଧୂପ, ଦିବା ପହୁଡ଼, ମଧ୍ୟାହ୍ନ ଧୂପ ସମାପନ ପରେ ସନ୍ଧ୍ୟା ଧୂପ ସମୟରେ ଏହି ଭୋଗ କରାଯାଇଥିଲା। ପ୍ରକାଶ ଥାଉକି, ପୁରୀ ଜଗନ୍ନାଥ ଧାମରେ ମାର୍ଗଶୀର ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଛପନ ଭୋଗ ଲାଗୁଥିବା ବେଳେ ଭଟଲି ଧାମରେ ପ୍ରଭୁ ଶ୍ରୀଦଧିବାମନଙ୍କୁ ପରମ୍ପରାକ୍ରମେ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଅଷ୍ଟୋତ୍ତର ଶତଅମୃତ ମଣୋହୀ ବାଳନୈବେଦ୍ୟ ଭୋଗ ଲାଗି ଆସୁଛି। ସେଠାରେ ବ୍ୟଞ୍ଜନ ଭୋଗ ଲାଗୁଥିବା ବେଳେ ଏଠାରେ ବାଳଭୋଗ ଲାଗି କରାଯାଇଥାଏ। ଶ୍ରୀମନ୍ଦିର ମୁଖ୍ୟ ପୂଜକ ଲଳିତ ରଥ ପୂଜାକାର୍ଯ୍ୟ ସଂପାଦନ କରିଥିବା ବେଳେ ପଣ୍ଡିତ ଗୌରଚନ୍ଦ୍ର ରଥ, ଶ୍ରୀବତ୍ସ ପାଣିଗ୍ରାହୀ, ରାଜେଶ ମିଶ୍ର, ସୁରେନ୍ଦ୍ର ମୋହନ ପଣ୍ଡା, ସୁବାସ ରଥ, ରୋହିତ ରଥ, ନିରଞ୍ଜନ ରଥ, ଆୟୁଷ୍ମନ୍ତ ଷଡ଼ଙ୍ଗୀ, ଦିଲୀପ ମିଶ୍ର, ସଞ୍ଜୀବ ଷଡ଼ଙ୍ଗୀ, ସୁମନ୍ତ ଶତପଥୀ, ପ୍ରମୋଦ ତ୍ରିପାଠୀ, ଅଶୋକ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।ମନ୍ଦିର ଟ୍ରଷ୍ଟ ସଭ୍ୟ ଗୋପିନାଥ ସାହୁ, ନାରାୟଣ ସାହୁ, ଭିକାରୀ ମେହେରଙ୍କ ସମେତ ଗୌନ୍ତିଆ ପରମାନନ୍ଦ ସାହୁ ଉପସ୍ଥିତ ଥିଲେ । ପରିଚାଳନାରେ ନବନିଯୁକ୍ତ ନୂତନ ଟ୍ରଷ୍ଟ ବୋର୍ଡ କାର୍ଯ୍ୟକ୍ରମ ସଦସ୍ୟମାନେ କରିଥିଲେ |

Leave a Reply

Your email address will not be published. Required fields are marked *