Spread the love

ଭୂବନେଶ୍ୱର: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ ।

ଫଳରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ । ଏହାଦ୍ୱାରା ସେମାନଙ୍କ ସମ୍ପତ୍ତିର ଗୁଣବତ୍ତା ବୃଦ୍ଧି ପାଇବ । ସମବାୟ ବ୍ୟାଙ୍କଗୁଡ଼ିକର ଦୀର୍ଘ ଦିନର ଦାବିକୁ ଏହି ପଦକ୍ଷେପ ଦ୍ୱାରା ସମାଧାନ କରାଯାଇଛି । ଏହି ମଡେଲ ଯୋଜନା ଦ୍ଵାରା ବ୍ୟାଙ୍କଗୁଡ଼ିକ ସେମାନଙ୍କର ଆର୍ଥିକ ଆବଶ୍ୟକତା ଅନୁଯାୟୀ ପରିଚାଳନା କମିଟିର ଅନୁମୋଦନ କ୍ରମେ ସହ ବଦଳାଇ କାର୍ଯ୍ୟକାରୀ କରିପାରିବେ ।ଏହି ଯୋଜନାର ମୁଖ୍ୟ ବିଶେଷତ୍ୱ ଗୁଡ଼ିକ ହେଲା:୧. ଓଟିଏସ ଯୋଜନା ପ୍ରତ୍ୟେକ ଆର୍ଥିକ ବର୍ଷରେ ଏପ୍ରିଲ ୧ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ କାର୍ଯ୍ୟକାରୀ ହେବ ।୨. ୨୦୨୫-୨୬ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଓଟିଏସ ଯୋଜନା ପାଇଁ କଟ୍ ଅଫ୍ ତାରିଖ ୩୧.୦୩.୨୦୨୩ ସ୍ଥିର କରାଯାଇଛି । କଟ୍-ଅଫ୍ ତାରିଖ ସୁଦ୍ଧା ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆ ଯାଇଥିବା ସମସ୍ତ ଋଣ, ଯାହାକି ସନ୍ଦେହଜନକ କିମ୍ବା କ୍ଷତି ସମ୍ପତ୍ତିର ରୂପ ନେଇଛି ତାହା ଓଟିଏସ୍ ପାଇଁ ଯୋଗ୍ୟ ବିବେଚିତ ହେବ ।

୩. ପାକସ୍/ଲାମ୍ପସ ଦ୍ୱାରା ଦିଆଯାଇଥିବା ସ୍ୱଳ୍ପକାଳୀନ ଫସଲ ଋଣ, ସମ୍ପୂର୍ଣ୍ଣ ସୁରକ୍ଷିତ ଋଣ, ସୁନା ଋଣ, ଟାଇ-ଅପ୍ ବ୍ୟବସ୍ଥା ଅଧୀନରେ ଋଣ ଏବଂ ଇଚ୍ଛାକୃତ ଖିଲାପକାରୀ ନେଇଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ ନାହିଁ ।4.ଋଣଗ୍ରହୀତାଙ୍କ ଯୋଗ୍ୟତା ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ବ୍ୟାଙ୍କ ଦ୍ୱାରା ଏକ ସ୍କ୍ରିନିଂ କମିଟି ଗଠନ କରାଯିବ ।୫.ସମସ୍ତ ଯୋଗ୍ୟ ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ ବ୍ୟାଙ୍କର ବ୍ୟକ୍ତିଗତ ଅଧିକାରୀମାନଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯିବ । ଏହି ପ୍ରସ୍ତାବ ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମୀକ୍ଷା କରାଯିବ ।୬.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୁକ୍ ଲିଆବିଲିଟି ଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ । ପାକସ୍ ପାଇଁ ଏହି ସୀମା ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।୭.ସମ୍ପତ୍ତିଗୁଡ଼ିକର ଆକାର ଏବଂ ଗୁଣବତ୍ତା ଅନୁଯାୟୀ ସେଗୁଡିକୁ ବିଭିନ୍ନ ବିଭାଗରେ ଭାଗ କରାଯାଇଛି ଏବଂ ସେହି ଅନୁଯାୟୀ ଆପୋଷ ବୁଝାମଣା ସୂତ୍ରର ପରାମର୍ଶ ଦିଆଯାଇଛି ।୮.ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ ଅନ୍ତର୍ଭୁକ୍ତ ଋଣ ମଧ୍ୟ ଏହି ଯୋଜନା ଅଧୀନରେ ସମାଧାନ ପାଇଁ ବିଚାର କରାଯାଇପାରେ ।

୯.କୌଣସି ଋଣଗ୍ରହୀତା ଓଟିଏସ୍ କୁ ନିଜର ଅଧିକାର ଭାବେ ଦାବି କରିପାରିବେ ନାହିଁ । ଋଣଗ୍ରହୀତାଙ୍କ ଓଟିଏସ ପ୍ରସ୍ତାବକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ବ୍ୟାଙ୍କ ଉପରେ ନିର୍ଭରଶୀଳ ।୧୦. ଓଟିଏସ୍ ର ସୁବିଧା ନେଉଥିବା ବ୍ୟକ୍ତି ତାଙ୍କର ପୂର୍ବ ଋଣର ଚୂଡ଼ାନ୍ତ ସମାଧାନ ପରେ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ ନୂଆ ଋଣ ପାଇଁ ଯୋଗ୍ୟ ହେବେ ନାହିଁ ।୧୧.ଏହି ଯୋଜନା ଅଧୀନରେ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ରହିଛି । ଯୋଜନାର ଅଧିକ ସଂଶୋଧନ ପାଇଁ ଓ ସମୀକ୍ଷା ନିମନ୍ତେ ଏହି ଯୋଜନା ଖୋଲା ରଖାଯାଇଛି । ଅର୍ଥାତ ବ୍ୟାଙ୍କ ଯେ କୌଣସି ଗଠନମୂଳକ ପରାମର୍ଶ ଦେଲେ, ତାହା ବିଚାର କରାଯାଇ ଗ୍ରହଣ କରାଯିବ ।ଦୀର୍ଘ ଦିନ ଧରି ଓଟିଏସ ଯୋଜନା ଉପଲବ୍ଧ ନଥିବାରୁ ସମବାୟ ବ୍ୟାଙ୍କଗୁଡ଼ିକର ବ୍ୟାଡ୍ ଲୋନ୍, ମୋଟ ଅନାଦେୟ ସମ୍ପତ୍ତି/ଋଣ ବହୁତ ବଢିଯାଇଥିଲା। ଏହି ପଦକ୍ଷେପ ଦ୍ଵାରା ଏହି ସମସ୍ୟାରେ ସମାଧାନ ଆସିବ । ସମବାୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ କ୍ଲିନ କରିବା ସହ ସମ୍ପତ୍ତି ଗୁଣବତ୍ତାରେ ଉନ୍ନତି ଆଣିପାରିବେ ।

Leave a Reply

Your email address will not be published. Required fields are marked *