Spread the love

*ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍‌’ ମୁକାବିଲା ପାଇଁ ସମ୍ବେଦନଶୀଳ ଜିଲ୍ଲାରେ ବରିଷ୍ଠ ଯନ୍ତ୍ରୀ ଅଧିକାରୀ ନିୟୋଜିତ*

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍‌’ ପରିପ୍ରେକ୍ଷୀରେ ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ଓ ନଦୀବନ୍ଧର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ବରିଷ୍ଠ ଯନ୍ତ୍ରୀ ଅଧିକାରୀମାନଙ୍କୁ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ନିୟୋଜିତ କରାଯାଇଛି।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଚାରିଜଣ ବରିଷ୍ଠ ଅଧିକାରୀ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାରେ ଅବସ୍ଥାନ କରି ବନ୍ୟା ପରିସ୍ଥିତି ଓ ଆନୁଷଙ୍ଗିକ ପ୍ରସ୍ତୁତିର ତଦାରଖ କରିବେ।

ନିୟୋଜିତ ଅଧିକାରୀ ଓ ସେମାନଙ୍କ ଦାୟିତ୍ୱପ୍ରାପ୍ତ ଅଞ୍ଚଳ ହେଲା:

– ଯନ୍ତ୍ରୀ ଇଂ. ନିରଞ୍ଜନ ରାଉତ, ସର୍ବୋଚ୍ଚ ଯନ୍ତ୍ରୀ (କ୍ରୟ): ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ପ୍ରଣାଳୀ ଅନ୍ତର୍ଗତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା।
– ଯନ୍ତ୍ରୀ ଇଂ. ଦୀପକ ମୁର୍ମୁ, ମୁଖ୍ୟ ଯନ୍ତ୍ରୀ (ଗୁଣବତ୍ତା ନିଶ୍ଚିତକରଣ): ବୈତରଣୀ ନଦୀ ପ୍ରଣାଳୀ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା।
– ଯନ୍ତ୍ରୀ ଇଂ. ଅମୀୟ କୁମାର ସେଠ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କେନ୍ଦ୍ରୀୟ ଜଳସେଚନ ମଣ୍ଡଳ: ମହାନଦୀ ନଦୀ ପ୍ରଣାଳୀ ଅନ୍ତର୍ଗତ ପୁରୀ ଜିଲ୍ଲା।
– ଯନ୍ତ୍ରୀ ଇଂ. ସନ୍ଦୀପ କୁମାର, ଅଧୀକ୍ଷଣ ଯନ୍ତ୍ରୀ (ସିଭିଲ୍), ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ: ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଣାଳୀ ଅନ୍ତର୍ଗତ କେନ୍ଦ୍ରାପଡ଼ା ଜିଲ୍ଲା।

ନିୟୋଜିତ ଅଧିକାରୀମାନଙ୍କୁ ତୁରନ୍ତ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାକୁ ଗସ୍ତ କରି ଦୁର୍ବଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା, ନଦୀବନ୍ଧଗୁଡ଼ିକର ତଦାରଖ କରିବା ସହ କ୍ଷେତ୍ରସ୍ତରୀୟ ଯନ୍ତ୍ରୀ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ, ବାତ୍ୟା ସମୟରେ ବନ୍ୟା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ ନିମନ୍ତେ ଅଧିକାରୀମାନଙ୍କୁ କୁହାଯାଇଛି।

ସମ୍ଭାବ୍ୟ ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ଭିତ୍ତିଭୂମିର ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ କ୍ଷେତ୍ରସ୍ତରରେ ତଦାରଖ ଓ ସମନ୍ୱିତ ପ୍ରସ୍ତୁତିକୁ ସୁଦୃଢ଼ କରାଯାଇଛି।

Leave a Reply

Your email address will not be published. Required fields are marked *

You missed