Spread the love

ସରକାରୀ ଜମିରେ ବିଶାଳ କୋଠା ନିର୍ମାଣ ଅଭିଯୋଗ!

ଲକ୍ଷ୍ମୀ ବଜାରରେ ଦୋକାନ ଉଚ୍ଛେଦ ପରେ ଜମି ବିକ୍ରିକୁ ନେଇ ଉଠିଲା ପ୍ରଶ୍ନ; ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ଆସିକା, ୧୦/୧୦ : ଗୋଟିଏ ପଟେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସରକାରୀ ସ୍ତରରେ ଅଭିଯାନ ଚାଲିଛି । ଅନ୍ୟପଟେ ଆସିକା ସହରର ଲକ୍ଷ୍ମୀ ବଜାରରେ ଜମିର ମାଲିକାନାକୁ ନେଇ ଉଠିଥିବା ବିବାଦ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଦୀର୍ଘ ବର୍ଷ ଧରି ଏଠାରେ ବ୍ୟବସାୟ କରୁଥିବା ଦୋକାନୀଙ୍କ ଦୋକାନ ଭଙ୍ଗାଯିବା ପରେ ସମ୍ପୃକ୍ତ ଜମିରେ ବିରାଟ କୋଠା ନିର୍ମାଣ ଓ ଜମି ବିକ୍ରିକୁ ନେଇ ଅଭିଯୋଗ ଉଠିଛି ।

ଅଭିଯୋଗ ଅନୁସାରେ, ଲକ୍ଷ୍ମୀ ବଜାରର ଉକ୍ତ ସ୍ଥାନରେ ୩୦ ରୁ ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବହୁ ବ୍ୟବସାୟୀ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସେମାନେ ସ୍ୱର୍ଗତ ଇ. ବ୍ରଜମୋହନ ପାତ୍ରଙ୍କୁ ଜାଗା ଭଡ଼ା ଦେଉଥିବା ଦାବି କରିଛନ୍ତି । ତେବେ ୧୩ ଫେବୃଆରୀ ୨୦୨୦ରେ ତତ୍କାଳୀନ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଦୋକାନଗୁଡ଼ିକ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି । ଦୋକାନୀମାନେ ଜମିଟି ପାତ୍ରଙ୍କ ନାମରେ ଥିବା ଦାବୀ କରିଥିବା ବେଳେ, ଏହା ସରକାରୀ ଜମି ବୋଲି କୁହାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି । ପରବର୍ତ୍ତୀ ସମୟରେ ଉକ୍ତ ଜମିକୁ ପାତ୍ରଙ୍କ ପରିବାର ପକ୍ଷରୁ ଜଣେ ସୁନା ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିବା ନେଇ ପ୍ରଶ୍ନ ଉଠିଛି । ଯଦି ଜମିଟି ସରକାରୀ ଥିଲା, ତେବେ ଏହାର ମାଲିକାନା କାହା ସ୍ୱାର୍ଥରେ ଏବଂ କେଉଁ ଆଧାରରେ ପରିବର୍ତ୍ତନ ହେଲା ? ଜମିର ପଟ୍ଟା, ରେକର୍ଡ ଅଫ୍ ରାଇଟ୍ସ ଓ ବିକ୍ରି ଦଲିଲରେ କ’ଣ ଉଲ୍ଲେଖ ରହିଛି ? ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ବେଳେ ପରବର୍ତ୍ତୀ ଜମି ବ୍ୟବହାରର ଆଇନଗତ ଆଧାର କ’ଣ ? ଏହି ସମସ୍ତ ପ୍ରଶ୍ନର ନିରପେକ୍ଷ ତଦନ୍ତ କରି ଜମିର ପ୍ରକୃତ ମାଲିକାନା ଓ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ସ୍ପଷ୍ଟ କରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ପ୍ରଶାସନ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *