Spread the love

ଆସିଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ଘଣ୍ଟ, ମୃଦଙ୍ଗ, କାହାଳି ନାଦରେ କମ୍ପିଲା ବଡ଼ଦାଣ୍ଡ । ଆଜ୍ଞାମାଳ ବିଜେ ପରେ ତିନି ରଥକୁ ଟାଣି ଆଣିଲେ ସୁରକ୍ଷା ବାହିନୀ ଓ ପୁଲିସ । ପରମ୍ପରା ଅନୁସାରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ବଜ ରଥ ସିଂହଦ୍ବାର ଆଗରେ ଲାଗିଛି । ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଅପେକ୍ଷା ।

ନୀଳକନ୍ଦର ଛାଡ଼ି ବାହୁଡ଼ି ଆସିବେ ନୀଳମଣି । ଭକ୍ତଙ୍କୁ ଦେବେ ଦର୍ଶନ। ଚକା ଆଖି ସହ ଆଖି ମିଶାଇବାକୁ ବ୍ୟାକୁଳ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହେବାରେ ଲାଗିଛି। ବଡ଼ଦାଣ୍ଡରେ ଗହଳି ବଢ଼ିବାରେ ଲାଗିଛି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି।ରାତି ପାହିଲା ବେଳକୁ ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚି ସାରିଥିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚୁଛନ୍ତି।

Leave a Reply

Your email address will not be published. Required fields are marked *