Spread the love

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ୨୭ ରନ୍‌ରେ ପରାଜୟ ସହ ଭାରତୀୟ ଦଳ ୧-୨ରେ ସିରିଜ୍ ହାରିଛି। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇ ସିରିଜ୍ ହାତଛଡ଼ା କରିଛି।

ସିରିଜ୍ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍ ଦଳର ଖେଳାଳିମାନଙ୍କ ଫିଟନେସ୍ ଓ ଆଘାତ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ ମତରେ, ଲଗାତାର ଖେଳାଳିଙ୍କ ଆଘାତ ଯୋଗୁଁ ଦଳର ସଂଯୋଜନ ବାରମ୍ବାର ବଦଳାଇବାକୁ ପଡ଼ୁଛି, ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇଛି।

୨୦୨୭ ବିଶ୍ୱକପ୍‌କୁ ନଜରରେ ରଖି ଗିଲ୍ ଦଳର ଭବିଷ୍ୟତ ଯୋଜନା ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିଶ୍ୱକପ୍‌ରେ ଏକ ଦଳକୁ ଲଗାତାର ୧୧ଟି ମ୍ୟାଚ୍ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିପାରେ। କିନ୍ତୁ ଯଦି ଖେଳାଳିମାନେ ୨-୩ ମ୍ୟାଚ୍‌ର ଏକ ସିରିଜ୍‌ ମଧ୍ୟ ସମ୍ପୂର୍ଣ୍ଣ ଖେଳିପାରୁନାହାନ୍ତି, ତେବେ ବିଶ୍ୱକପ୍‌ର ଦୀର୍ଘ ଅଭିଯାନକୁ କିପରି ସାମ୍ନା କରିବେ ବୋଲି ପ୍ରଶ୍ନ ଉଠୁଛି।

ଗିଲ୍‌ଙ୍କ ଅନୁସାରେ, ଜଣେ ଖେଳାଳି ଆହତ ହେଲେ ତାହାର ପ୍ରଭାବ ସିଧାସଳଖ ଦଳର ସଂଯୋଜନ ଉପରେ ପଡ଼େ। ଏହି କାରଣରୁ ବାରମ୍ବାର ଦଳରେ ପରିବର୍ତ୍ତନ କରିବାକୁ ପଡ଼ୁଛି। ଆଗାମୀ ଦିନରେ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ସମଗ୍ର ଦଳକୁ ଏକାଠି ହୋଇ ଫିଟନେସ୍‌ ଉପରେ କାମ କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

୨୦୨୭ ବିଶ୍ୱକପ୍‌ ପୂର୍ବରୁ ଖେଳାଳିଙ୍କ ଫିଟନେସ୍‌ ଓ ଉପଲବ୍ଧତା ଭାରତୀୟ ଦଳ ପାଇଁ ଏବେ ଏକ ବଡ଼ ଚିନ୍ତାର ବିଷୟ ହୋଇ ଉଭା ହୋଇଛି।

Leave a Reply

Your email address will not be published. Required fields are marked *