ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ୨.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ
ଜାଲ୍ ବିଲ୍ ଜରିଆରେ ସରକାରୀ ଅର୍ଥ ଆତ୍ମସାତ୍, ୬ ମାସ ଧରି ଫେରାର ଥିବା ବରିଷ୍ଠ ସହାୟକ ଗିରଫ
ନୂଆପଡ଼ା/ବଲାଙ୍ଗୀର: ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ଜଣେ ବରିଷ୍ଠ ସହାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ବାବୁଲୁ ସୁନା। ସେ ଡିଏଫ୍ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ଥିବା ବେଳେ MACP/RACP ଯୋଜନା ଅଧୀନରେ ଜାଲ୍ ବକେୟା ବିଲ୍ ପ୍ରସ୍ତୁତ କରି ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଗତ ୬ ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗତ ରାତିରେ ବଲାଙ୍ଗୀରରୁ ଧରାଯାଇଛି। ଗିରଫ ପରେ ତାଙ୍କୁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବା ପାଇଁ ପଦକ୍ଷେପ ନିଆଯାଇଛି।
ମୃତ, ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଜାଲ୍ ବିଲ୍
ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, ବାବୁଲୁ ସୁନା ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ଥିବା ସୁଯୋଗ ନେଇ Modified Assured Career Progression (MACP) ଏବଂ Revised Assured Career Progression (RACP) ଯୋଜନା ଅଧୀନରେ ଜାଲ୍ ବକେୟା ଦରମା ବିଲ୍ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡର ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମ ଓ ପରିଚୟ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଜାଲ୍ ବିଲ୍ ମାଧ୍ୟମରେ ଉଠାଯାଇଥିବା ସରକାରୀ ଅର୍ଥକୁ ଅଭିଯୁକ୍ତ ନିଜ ପତ୍ନୀ, ଭାଇ, ଭଉଣୀ ଏବଂ ଅନ୍ୟ ଦୁଇ ଜଣ ନିକଟ ସହଯୋଗୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ନିଜ ଦରମାରେ ବି ଅନିୟମିତତା ଅଭିଯୋଗ
କେବଳ ଅନ୍ୟ କର୍ମଚାରୀଙ୍କ ନାମରେ ଜାଲ୍ ବିଲ୍ ନୁହେଁ, ନିଜ ଦରମା ବୃଦ୍ଧି ସମ୍ପର୍କିତ ସରକାରୀ ରେକର୍ଡରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ ମିଳିବାକୁ ଥିବା ଦରମା ବୃଦ୍ଧିଠାରୁ ଅଧିକ ଅର୍ଥ ପାଇବା ପାଇଁ ସେ ରେକର୍ଡରେ ପରିବର୍ତ୍ତନ କରିଥିବା ତଦନ୍ତରେ ସାମ୍ନାକୁ ଆସିଛି। ଏହାଦ୍ୱାରା ଦୀର୍ଘ ସମୟ ଧରି ଅତିରିକ୍ତ ଦରମା ବାବଦରେ ୧୦ ଲକ୍ଷ ୫୮ ହଜାରରୁ ଅଧିକ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୪ ଓ ୨୫/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି।
ଘଟଣାର ତଦନ୍ତ ଜାରି ରହିଥିବା ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
