ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ଉ: କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ
ଭୁବନେଶ୍ୱର/କଟକ:
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ଼ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଏକକାଳୀନ ଚଢ଼ଉ କରାଯାଇଛି। ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକର ମୋଟ ୮ଟି ସ୍ଥାନରେ ଚାଲିଥିବା ଏହି ତଲାସି ଅଭିଯାନରେ ଶ୍ରୀ ପାତ୍ର ଓ ତାଙ୍କ ପରିବାର ନାମରେ ରହିଥିବା ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପାତ୍ରଙ୍କ ନାମରେ ଭୁବନେଶ୍ୱର ବାଲିଅନ୍ତାରେ ୪ଟି ଦୁଇ ମହଲା କୋଠା ଏବଂ ନୟାପଲ୍ଲୀ ‘ଶ୍ରାବଣୀ ରେସିଡେନ୍ସି’ରେ ଗୋଟିଏ ୩-ବିଏଚ୍କେ ଫ୍ଲାଟ୍ ଠାବ ହୋଇଛି। ଏହା ସହିତ ଭୁବନେଶ୍ୱର ଉପକଣ୍ଠରେ ୭ଟି ମୂଲ୍ୟବାନ ପ୍ଲଟ୍, ନୂଆ ଫ୍ଲାଟ୍ ପାଇଁ ଦିଆଯାଇଥିବା ୨୯.୫୦ ଲକ୍ଷ ଟଙ୍କାର ଅଗ୍ରୀମ, ୨୧୨ ଗ୍ରାମ ସୁନା, ୧ ଲକ୍ଷ ୨୯ ହଜାର ୫୦୦ ଟଙ୍କା ନଗଦ ଏବଂ ବିଭିନ୍ନ ବ୍ୟାଙ୍କ୍ରେ ୧ କୋଟି ୪୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜମା ରାଶି ଥିବା ଜଣାପଡ଼ିଛି। ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ଆଧାରରେ ୮ଟି ଟିମ୍ ଏହି ଚଢ଼ଉ ଜାରି ରଖିଛନ୍ତି ଏବଂ ତାଙ୍କର ଆୟ ଉତ୍ସ ସମ୍ପର୍କରେ ପଚରାଉଚରା ଚାଲିଛି।
