ସ୍ପନ୍ଦନ ଓ କମନହେଲଥ ପକ୍ଷରୁ ଆନ୍ତର୍ଜାତୀୟ ଗର୍ଭ ସମାପନ ଦିବସ ପାଳିତ ପାଳିତ
ତାଳଚେର, ୨୯/୦୯ ଜାତୀୟ ସ୍ତରୀୟ ଅନୁଷ୍ଠାନ କମନହେଲଥ ତରଫରୁ ଏବଂ ସାମାଜିକ ଅନୁଷ୍ଠାନ “ସ୍ପନ୍ଦନ” ତରଫରୁ ତାଳଚେର ଉପଖଣ୍ଡ ଡ଼ାକ୍ତରଖାନା, ମଣ୍ଡାପାଳ ସଭାଗୃହ ଠାରେ ଆନ୍ତର୍ଜାତୀୟ ଗର୍ଭ ସମାପନ ଦିବସ ୨୦୨୬ ପାଳିତ ହୋଇଯାଇଅଛି। ଉକ୍ତ କାର୍ୟ୍ୟକ୍ରମକୁ ଏସଡିଏମଓ ଗଙ୍ଗାଧର ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସୁରକ୍ଷିତ ଗର୍ଭ ସମାପନ ଏକ ସ୍ପର୍ଶ କାତର ପ୍ରସଙ୍ଗ କାରଣ ଅବିବାହିତ ମାତୃତ୍ୱ, ପୁତ୍ର ସନ୍ତାନ ପ୍ରତି ପ୍ରୀତି, ସନ୍ତାନ ପ୍ରସବ ନ କରିବାର ମାନସିକତା, ଶାରୀରିକ ବିକୃତି ଜନିତ ଗର୍ଭ ସମାପନ, ଅପ୍ରଶିକ୍ଷିତ ଚିକି ତ୍ସକ ଇତ୍ୟାଦି କାରଣ ଯୋଗୁଁ ଗର୍ଭ ସମାପନ ଜନିତ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହି ବିଷୟ ଏବଂ କାରଣ ସମ୍ବନ୍ଧରେ ସମସ୍ତେ ଅବଗତ ରହି ସଚେତନତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଧୀରମୋହନ ରାୟ, ବରିଷ୍ଠ ସାମ୍ବାଦିକ, ଦି ପାୟୋନିୟର, ଅନୁଗୋଳ ଯୋଗଦେଇ କନ୍ୟା ଭ୍ରୁଣ ହତ୍ୟା ବୃଦ୍ଧିପାଇବା, ମାନସିକ ବିକାରଗ୍ରସ୍ତ ମହିଳା ମାନଙ୍କ ସହିତ ଦୁଷ୍କର୍ମ, ଭିନ୍ନକ୍ଷମ ମାନଙ୍କୁ ଶାରୀରିକ ନିର୍ୟାତନା ଇତ୍ୟାଦି ପ୍ରସଙ୍ଗ ଦିନକୁ ଦିନ ବୃଦ୍ଧି ପାଇବା ସହିତ କଠୋର ଦଣ୍ଡ ବିଧାନ ତଥା ସମସ୍ତ ଗଣ ମାଧ୍ୟମ ଏହି ପ୍ରସଙ୍ଗରେ ନିଜର କଠୋର ଆଭିମୁଖ୍ୟ ପ୍ରତିପୋଷଣ ହିଁ ଏହି ସମସ୍ୟାର ସମାଧାନର ଉଚିତ ମାର୍ଗ ଦେଖାଇ ପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସ୍ତ୍ରୀ ରୋଗ ବିଶେଷଞ୍ଜ ଡାକ୍ତର ଅରବିନ୍ଦ ନନ୍ଦୀ ପାୱାର ପଏଣ୍ଟ ପ୍ରେଜେଣ୍ଟଟେସନ ମାଧ୍ୟମରେ ଏବଂ ସ୍ଵରଚିତ ବ୍ୟଙ୍ଗ କବିତା ମାଧ୍ୟମରେ ସୁରକ୍ଷିତ ଗର୍ଭ ସମାପନର ୧୯୭୧ ମସିହାରେ ଥିବା ଆଇନ କାନୁନ ଏବଂ ୨୦୨୧ ମସିହାରେ ସଂଶୋଧନ ଗର୍ଭ ସମାପନ ଆଇନ ସମ୍ବନ୍ଧରେ ବିସ୍ତୃତ ଭାବେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସ୍ତ୍ରୀ ରୋଗ ବିଶେଷଞ୍ଜ ଡାକ୍ତର ବଳରାମ ପ୍ରଧାନ, କନିଷ୍ଠ ମେଡ଼ିକାଲର ପରିଚାଳିକା ରିତାଞ୍ଜଳୀ ସ୍ୱାଇଁ ପ୍ରମୁଖ ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ ମାନେ ନିଜ ନିଜର ଦୈନନ୍ଦିନ ଜୀବନରେ ଘଟୁଥିବା ସୁରକ୍ଷିତ ଏବଂ ଅସୁରକ୍ଷିତ ଗର୍ଭ ସମାପନ ସମ୍ବନ୍ଧରେ ଅନୁଭବ ପ୍ରତିପାଦନ ଜରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ୬୦ ଜଣ ଡାକ୍ତର, ଆଶା କର୍ମୀ, ମହିଳା ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଗର୍ଭବତୀ ମହିଳା, ସେଵୀକା ଛାତ୍ରୀ, ହାସପାତାଳ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସ୍ପନ୍ଦନ ର ସଦସ୍ୟ ବିଭୁ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
