### ହାତୀ ଆକ୍ରମଣରେ ମୃତ ବୃଦ୍ଧଙ୍କ ପରିବାରକୁ ବିଧାୟକଙ୍କ ସହାୟତା
### ଭାଗବତପୁର ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ପ୍ରତାପ ଚନ୍ଦ୍ର ପ୍ରଧାନ
ବଅଁରପାଳ/ଅନୁଗୋଳ: ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ପରିବାର ପାଖରେ ଠିଆ ହୋଇଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ମାନବିକତାର ପରିଚୟ ଦେଇ ସେ ଶୋକସନ୍ତପ୍ତ ପରିବାରକୁ ସହାୟତାର ହାତ ବଢ଼ାଇବା ସହ ସମବେଦନା ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଗବତପୁର ଗ୍ରାମର ୬୨ ବର୍ଷୀୟ କୁମର ସେଠୀଙ୍କର କିଛି ଦିନ ପୂର୍ବରୁ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ପରିବାରର ମୁଖ୍ୟଙ୍କୁ ହରାଇ ପରିବାରବର୍ଗ ଗଭୀର ମାନସିକ ଆଘାତରେ ଥିବାବେଳେ ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା।
ଏଭଳି ଦୁର୍ଦ୍ଦିନରେ ବିଧାୟକ ଶ୍ରୀ ପ୍ରଧାନ ପୀଡ଼ିତ ପରିବାରକୁ ସହାୟତା ପ୍ରଦାନ କରି ସେମାନଙ୍କ ଦୁଃଖରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କ ସହ ଗଡ଼ସନ୍ତ୍ରୀ ବିଜେପି ସଭାପତି ଅମରେଶ ଗଡ଼ନାୟକ, ଉପସଭାପତି ବଲ୍ଲଭ ପରିଡ଼ା, ଜିଲ୍ଲା ବିଜେପି ଏସ୍ଟି ମୋର୍ଚ୍ଚା ସଭାପତି ଅଜିତ୍ ଭୋଇଙ୍କ ସମେତ ବିଜେପି କର୍ମୀ ଶାନ୍ତନୁ ପରିଡ଼ା, କାର୍ତ୍ତିକ ପରିଡ଼ା, ଯୋଗେନ୍ଦ୍ର ଭୂତିଆ, ଭରତ ବେହେରା, ଅନୀଲ ସାହୁ, ସୁଶୀଲ ସାହୁ, ସୌମ୍ୟରଞ୍ଜନ ବେହେରା, ଅଜିତ୍ ଦାସ ଓ ଗଣେଶ୍ୱର ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବିପଦ ଓ ଦୁଃଖ ସମୟରେ ମୃତକଙ୍କ ପରିବାର ପାଖରେ ଜନପ୍ରତିନିଧିଙ୍କ ଏଭଳି ଉପସ୍ଥିତି ଓ ସହଯୋଗ ସେମାନଙ୍କୁ ମାନସିକ ସାହସ ଯୋଗାଇବା ସହ କିଛିଟା ଆଶ୍ୱସ୍ତି ପ୍ରଦାନ କରିଛି।
