Spread the love

ମୁଁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସୁନ୍ଦରଗଡ଼ରେ ଏନ୍‌ଟିପିସି ସେଲ୍‌ ପାୱର କମ୍ପାନି ପକ୍ଷରୁ ୭୧୦.୨୭ କୋଟି ଟଙ୍କା ନିବେଶରେ ଏକ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରାଯିବ। ମଙ୍ଗଳବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୧୪୨ତମ ବୈଠକରେ ଏହି ପ୍ରକଳ୍ପ ସମେତ ୪୩୫୩ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୨୦ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।

ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ। ସେଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟ‌ରେ ୭୮୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।।ବୈଠକରୁ ଜଣାପଡ଼ିଛି ଯେ ଖୋର୍ଦ୍ଧାରେ ଏସ୍‌ଆର୍‌ ଡାଇନାମିକ୍ସ ୫୪ କୋଟି ଟଙ୍କା ନିବେଶରେ ଏକ ସୋଲାର୍‌ ମଡ୍ୟୁଲ୍‌, ଅନୁଗୁଳରେ ଏନ୍‌ଭିରୋକେୟାର ଇନ୍‌ଫ୍ରା ସଲ୍ୟୁସନ୍ସ ୩୫୧ କୋଟି ଟଙ୍କା ନିବେଶରେ ଏକ ସୋଲାର ପିଭି ସିପିପି, ଢେଙ୍କାନାଳରେ ଅନନ୍ତମ ସୋଲାର୍‌ ଏନର୍ଜିସ୍‌ ପକ୍ଷରୁ ୨୭୧ କୋଟି ଟଙ୍କା ନିବେଶରେ ଏକ ସୋଲାର୍‌ ସେଲ୍ ଓ ସୋଲାର୍‌ ମଡ୍ୟୁଲ୍‌ କାରଖାନା ଏବଂ ଆଇନେକ୍ସ ରିନୁଏବଲ୍‌ସ ପକ୍ଷରୁ ମଧ୍ୟ ଖୋର୍ଦ୍ଧାରେ ୯୯.୮୫ କୋଟି ଟଙ୍କା ନିବେଶରେ ଏକ ସୋଲାର୍‌ ମଡ୍ୟୁଲ୍‌ କାରଖାନା ସ୍ଥାପନ କରାଯିବ। ରାଜ୍ୟରେ ଆଉ ୪ଟି ନୂଆ ତାରକା ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରାଯିବ। ପୁରୀରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍‌ସ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌ ୨୫୦.୪୮ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍‌ ଓ ଆର୍‌କେଡି ହୋ‌ଟେଲ୍‌ସ ୫୮.୮୦ କୋଟି ଟଙ୍କାରେ ଏକ ରିସୋର୍ଟ ସ୍ଥାପନ କରିବ। ସାତପଡ଼ା ରେଗାଲ୍ ପାରାଡାଇଜ୍ ପକ୍ଷରୁ ପୁରୀରେ ୧୨୫ କୋଟି ଟଙ୍କା ନିବେଶରେ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରାଯିବ। କୋରାପୁଟରେ ମିଡ୍‌-ଇଷ୍ଟ୍‌ ପକ୍ଷରୁ ୭୦ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ସ୍ଥାପନ କରାଯିବ। ସେହିପରି ପିଟି ୱାର୍କସ୍‌ ପକ୍ଷରୁ ୫୩୨ କୋଟି ଟଙ୍କା ନିବେଶରେ ଜଗତସିଂହପୁରରେ ପାନୀୟ ପ୍ରକଳ୍ପ ସ୍ଥାପନ କରାଯିବ। ଖୋର୍ଦ୍ଧା ଓ ସମ୍ବଲପୁରରେ ଯଥାକ୍ରମେ ମାଉଣ୍ଟ୍‌ ଏଭରେଷ୍ଟ ବ୍ରୁଅରି ଓ ପ୍ରିମିୟର୍‌ ଗ୍ରିନ୍‌କେମ୍ ପକ୍ଷରୁ ବ୍ରୁଅରି ସ୍ଥାପନ କରାଯିବ।ଅନୁଗୁଳରେ ଗୋଦାବରୀ କମୋଡିଟିଜ୍ ତରଫରୁ ୯୯.୮୦ କୋଟି ଟଙ୍କା ନିବେଶରେ ଏକ କୋଇଲା ୱାସେରି କରାଯିବ। ରଶ୍ମୀ ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରି କେନ୍ଦୁଝରରେ ୬୦୦ କୋଟି ଟଙ୍କା ନିବେଶରେ ଲୁହାପଥର ବିନିଫିକେସନ୍‌ କାରଖାନା ବସାଇବ। ଯାଜପୁରରେ ସାଇନୋମାକ୍ ଟେକ୍ନୋଲୋଜିସ୍ ୭୦.୫୦ କୋଟି ଟଙ୍କା ନିବେଶରେ ଏକ ରେଳ ଉପକରଣ କାରଖାନା ନିର୍ମାଣ କରିବ। ନିର୍ମଳ ୱାୟର୍ସ ତରଫରୁ ଖୋର୍ଦ୍ଧାରେ ୧୫୦ କୋଟି ଟଙ୍କା ନିବେଶରେ ଆନୁଷଙ୍ଗିକ ଆଲୁମିନିୟମ ପ୍ରକଳ୍ପ ବସାଯିବ। ଗ୍ରେଟ୍‌ଲେନ୍‌ ସର୍ଭେଲାନ୍ସ ସିଷ୍ଟମ୍‌ସ ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ନିବେଶରେ ଏଲ୍‌ଇଡି ଲାଇଟ୍‌ କାରଖାନା କରିବ। ଝାରସୁଗୁଡ଼ାରେ ମାତାରାଣୀ ରିସୋର୍ସେସ୍‌ ୫୧.୨୪ କୋଟି ଟଙ୍କାରେ ଏକ ପ୍ରାଇଭେଟ୍ ଫ୍ରେଟ୍‌ ଟର୍ମିନାଲ୍ ସ୍ଥାପନ କରିବ। ଯାଜପୁରରେ ଲଜିଷ୍ଟିକ୍ ପାର୍କ ସ୍ଥାପନ ପାଇଁ ଶ୍ରୀଜଗନ୍ନାଥ କ୍ୟାରିୟର୍ସ ୧୧୧.୮୫ କୋଟି ନିବେଶ କରିବ। ଖୋର୍ଦ୍ଧାରେ ଆଇଟି ସେବାରେ ଟେକ୍ନୋସ୍ରାଇନ୍ ଇନ୍‌ଫୋସ୍‌ଲ୍ୟୁସନ୍ସ ୬୩ କୋଟି ଟଙ୍କା ଖଟାଇବ।

Leave a Reply

Your email address will not be published. Required fields are marked *