ସିଇଓ ପଦରେ ଥିବା ଆର୍.ଏସ୍. ଗୋପାଳନଙ୍କ VRS ଆବେଦନ
ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଦେଲେ ଆବେଦନ
ଭୁବନେଶ୍ୱର, ୩୦/୦୯: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଗୋପାଳନ ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଜନିତ କାରଣରୁ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
୨୦୨୪ ଜୁଲାଇରୁ ସେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ପ୍ରାୟ ୨୫ ବର୍ଷର ପ୍ରଶାସନିକ କ୍ୟାରିୟରରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି।
ନିକଟରେ ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିଲା। ସେପ୍ଟେମ୍ବର ୨୧ରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ମୋଟ ୩.୧୬ କୋଟି ଭୋଟର ରହିଥିଲେ।
ଗୋପାଳନ କହିଛନ୍ତି ଯେ ସେ କିଛି ମାସ ଧରି ଚାକିରି ଛାଡ଼ିବା ବିଷୟରେ ଚିନ୍ତା କରୁଥିଲେ। ତେବେ SIR ପ୍ରକ୍ରିୟା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ VRS ପାଇଁ ଆବେଦନ କରିଥିବା ସେ ସୂଚନା ଦେଇଛନ୍ତି। ତାଙ୍କ ଚାକିରିରେ ଆହୁରି ପ୍ରାୟ ଦେଢ଼ ବର୍ଷ ସମୟ ବାକି ଥିବା ସତ୍ତ୍ୱେ ଏହି ଆବେଦନ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ VRS ଆବେଦନ ଗ୍ରହଣ ଓ ତାଙ୍କ ଅବସରର ତାରିଖ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ସରକାରୀ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।
