Spread the love

ଭୂବନେଶ୍ୱର: ୩ ଘରୋଇ ବ୍ୟାଙ୍କକୁ ପ୍ୟାନେଲରୁ ହଟାଇଲେ ରାଜ୍ୟ ସରକାର । ଗତ ଦୁଇ ବର୍ଷ ମଧ୍ୟରେ କିଛି ପ୍ରମୁଖ ସରକାରୀ ଯୋଜନାରେ ଖରାପ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ସରକାର ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କକୁ ତାଲିକାରୁ ବାଦ୍ ଦେଇଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC ବ୍ୟାଙ୍କ୍, ICICI ବ୍ୟାଙ୍କ ଏବଂ AXIS ବ୍ୟାଙ୍କକୁ ରାଜ୍ୟ ସରକାର ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ରହିଥିବା ପ୍ୟାନେଲରୁ ତତ୍କାଳ ହଟାଇ ଦିଆଯାଇଛି ।

ଏଥିସହିତ ଏହି ବ୍ୟାଙ୍କମାନଙ୍କର ଅନ୍ୟାନ୍ୟ ବ୍ୟାଙ୍କିଂ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ତେଣୁ ଦୁର୍ବଳ ପ୍ରଦର୍ଶନ ପାଇଁ ବ୍ୟାଙ୍କଗୁଡିକୁ ତାଲିକାରୁ ହଟାଇ ଦିଆଯାଇଛି । ଯାହା ବ୍ୟାଙ୍କଗୁଡିକ ପାଇଁ ବଡ ଝଟକା ।ଏନେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ ଗତ ଦୁଇ ଆର୍ଥିକ ବର୍ଷ ମଧ୍ୟରେ କିଛି ପ୍ରମୁଖ ସରକାରୀ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଂ ପାରାମିଟରକୁ ନିରୁତ୍ସାହଜନକ କରିବା ଯୋଗୁଁ, ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ସମର୍ଥିତ ସଂଗଠନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ ଏହି ତିନୋଟି ଘରୋଇ ବ୍ୟାଙ୍କକୁ ବାଦ୍ ଦିଆଯାଇଛି। ଏହି ସମସ୍ତ ସଂଗଠନଗୁଡ଼ିକୁ ଏହି ତିନୋଟି ବ୍ୟାଙ୍କରେ ରଖାଯାଇଥିବା ସେମାନଙ୍କର ସଞ୍ଚୟ ଜାମାଖାତା କିମ୍ବା ଚଳନ୍ତି ଖାତା ଏବଂ ଅନ୍ୟାନ୍ୟ ଚାଲୁଥିବା ଆକାଉଣ୍ଟଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆକାଉଣ୍ଟ ବାଲାନ୍ସକୁ ଅନ୍ୟ କୌଣସି ପ୍ୟାନେଲଭୁକ୍ତ ବ୍ୟାଙ୍କରେ ଖୋଲାଯାଇଥିବା କିମ୍ବା ରଖାଯାଇଥିବା ନୂତନ କିମ୍ବା ପୂର୍ବରୁ ଥିବା ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।ତେବେ ଏହି ତିନୋଟି ବ୍ୟାଙ୍କରେ ବର୍ତ୍ତମାନ ରଖାଯାଉଥିବା ସ୍ଥାୟୀ ଜମା କିମ୍ବା ମିଆଦୀ ଜମା ବର୍ତ୍ତମାନ ବନ୍ଦ କରାଯିବ ନାହିଁ କାରଣ ଏହା ଅକାଳ ବନ୍ଦ ହେବା ଯୋଗୁଁ ସୁଧ ହରାଇପାରେ। ଏହି ଜମାଗୁଡ଼ିକର ପରିପକ୍ୱତା ପରେ, ସଂଗୃହିତ ସୁଧ ସହିତ ସମ୍ପୂର୍ଣ୍ଣ ଜମା ଅନ୍ୟ ପ୍ୟାନେଲଭୁକ୍ତ ବ୍ୟାଙ୍କଗୁଡ଼ିକୁ ସ୍ଥାନାନ୍ତର କରାଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ସୂଚନା ଦେଇଛନ୍ତି ।ଏହାବ୍ୟତୀତ ଚିଠିରେ ଏହାବି କୁହାଯାଇଛି ଯେ, ଏହି ନିର୍ଦ୍ଦେଶ ଚିଠି ଜାରି ହେବା ତାରିଖରୁ ହିଁ କାର୍ଯ୍ୟକାରୀ ହେବ । ଏହି ନିର୍ଦ୍ଦେଶାବଳୀ ପାଳନ ନ କଲେ ଏହାକୁ ଗମ୍ଭୀରତାର ସହ ବିଚାର କରାଯିବ। ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଆସୁଥିବା ସମସ୍ତ ରାଜ୍ୟ ସରକାର ଏବଂ ରାଜ୍ୟ ସରକାରଙ୍କ ସମର୍ଥିତ ସଂଗଠନଗୁଡ଼ିକୁ ଏନେଇ ଚେତାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *