Spread the love

୪ ଦଶନ୍ଧିର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟିର R&R ପ୍ୟାକେଜ୍

ଗଞ୍ଜାମ, ୨୭/୮: ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କ ପାଇଁ ଆସିଛି ବଡ଼ ଆଶ୍ୱାସନା। ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍‌ର ଶୁଭାରମ୍ଭ କରିଛନ୍ତି।

ପ୍ୟାକେଜ୍‌ ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଆର୍ଥିକ ସ୍ୱାବଲମ୍ବନ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଏକକାଳୀନ କ୍ଷତିପୂରଣ DBT ମାଧ୍ୟମରେ ଦିଆଯାଉଛି। ଏଥିପାଇଁ ମୋଟ ୬୮.୫୫ କୋଟି ଟଙ୍କା ବ୍ୟୟ ହେବ। ଏହାସହ ଅସମ୍ପୂର୍ଣ୍ଣ ଘରଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଓ ନୂତନ ଘର ନିର୍ମାଣ ପାଇଁ ୪ କୋଟି ୨୫ ଲକ୍ଷ ୧୦ ହଜାର ଟଙ୍କା ଆବଣ୍ଟନ ହୋଇଛି।

ନୂଆ କୀର୍ତ୍ତିପୁର କଲୋନୀରେ ରାସ୍ତା, ଷ୍ଟ୍ରିଟ୍ ଲାଇଟ୍‌, ଅଙ୍ଗନବାଡ଼ି, ମାର୍କେଟ୍ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍‌, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ପାଇଁ ବେଳାଭୂମି ସମତୁଲକରଣ ଭଳି ଭିତ୍ତିଭୂମି ପାଇଁ ମଧ୍ୟ ୨.୮୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି।

ଛେଳିଗଡ଼ ବିସ୍ଥାପିତଙ୍କୁ ଜମି ପଟ୍ଟା

ସେହିପରି ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ପ୍ରଦାନ କରାଯାଇଛି। ସାନ୍ତରାପୁରରେ ପୁନର୍ବାସିତ ହେଉଥିବା ପରିବାରଗୁଡ଼ିକୁ ୧୦ ଡିସିମିଲ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ଯୋଗାଇ ଦିଆଯାଉଛି। ବାକି ପରିବାରଙ୍କୁ ଖୁବ୍‌ଶୀଘ୍ର ପଟ୍ଟା ଦିଆଯିବ ବୋଲି କୁହାଯାଇଛି।

କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ସ୍ୱାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ।

ଛେଳିଗଡ଼ ପ୍ରକଳ୍ପରେ ୬ ହଜାର ହେକ୍ଟର ଜମିକୁ ଜଳସେଚନ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୮୪ରେ ଆର୍ମୀ ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରଠାରୁ ଗୋଳାବନ୍ଧର ସମସ୍ୟା ଦୀର୍ଘ ୪୦ ବର୍ଷ ଧରି ରହିଥିଲା। ବର୍ତ୍ତମାନ ସରକାର ଏହାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେଇଛନ୍ତି।

ଛେଳିଗଡ଼ ପ୍ରକଳ୍ପ ଆସନ୍ତା ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଗଞ୍ଜାମ ବିକାଶରେ ବ୍ଲୁ-ଇକୋନୋମିକୁ ଗୁରୁତ୍ୱ

ଗଞ୍ଜାମର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀ ବ୍ଲୁ-ଇକୋନୋମି, ଅର୍ଜିପଲ୍ଲୀ ଫିସିଙ୍ଗ ବନ୍ଦରର ନବୀକରଣ, ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାରେ ୨୧,୫୦୦ କୋଟି ଟଙ୍କା ବ୍ୟୟରେ ବୃହତ୍ ବନ୍ଦର ନିର୍ମାଣ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ଗୋପାଳପୁର ଶିଳ୍ପ ପାର୍କରେ ୪୦ ହଜାର କୋଟିରୁ ଅଧିକ ନିବେଶ ମାଧ୍ୟମରେ ୧୮ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ। ଆଗାମୀ ଦୁଇ ବର୍ଷରେ ରାଜ୍ୟରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ଥିବାରୁ ଯୁବପିଢ଼ି ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା, MSME, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବହୁ ଜନପ୍ରତିନିଧି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *