Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଟି ରାଷ୍ଟ୍ର ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମ୍ବିଆ ଗସ୍ତ ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ଶ୍ରୀ ମୋଦୀ ରିଓଡି ଜେନେରିଓରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ ।ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମ୍ବିଆରେ ଉଦ୍ୟୋଗ | ବିକାଶ କେନ୍ଦ୍ର ସ୍ଥାପନ ଏବଂ ସ୍ଵାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ୨ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଚଳିତ ବର୍ଷ ଶେଷ ଆଡ଼କୁ ନାମ୍ବିଆରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଆରମ୍ଭ କରିବା ଏବଂ ଭାରତଦ୍ୱାରା ନେତୃତ୍ୱାଧୀନ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଓ ବିଶ୍ଵ ଜୈବ ଇନ୍ଧନ ମେଣ୍ଟରେ ନାମିବିୟାର ଭାଗିଦାରିତା ନେଇ ମଧ୍ୟ ଘୋଷଣା କରାଯାଇଛି ।ଏହି ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଦିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦାମୁ ରଦି କହିଛନ୍ତି, ଗତକାଲି ୱିଣ୍ଡ୍‌ହୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାମିବିୟାର ରାଷ୍ଟ୍ରପତି ନେତ୍ରମୋ ନନ୍ଦି ନଦୈଦ୍ୱା’ଙ୍କ ମଧ୍ୟରେ ପ୍ରତିନିଧ୍ବସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ଖଣିଜ ପଦାର୍ଥ, ହାଇଡ୍ରୋ କାର୍ବନ୍, ପ୍ରତିରକ୍ଷା ସହଯୋଗ, ସ୍ଵାସ୍ଥ୍ୟ ସହଭାଗିତା, ଡିଜିଟାଲ ସାର୍ବଜନୀନ ଭିତିଭୂମି, ପରିବେଶ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଶ୍ରୀ ରବି କହିଛନ୍ତି, ନାମିବିୟା ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠାରେ ୟୁ.ପି.ଆଇ. ଭଳି ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ୍ ସହିତ ଚୁକ୍ତି କରାଯାଇଛି । ଉଭୟ ନେତା ଆତଙ୍କବାଦର ଦୃଢ଼ ନିନ୍ଦା କରିବା ସହ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମିବିୟା ଗସ୍ତ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ଏବଂ ଭାରତ-ନାମିବିୟା ସମ୍ପର୍କରେ ଐତିହାସିକ ମୁହୂର୍ତ୍ତକୁ ସୂଚାଉଛି । ପ୍ରାୟ ୩ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ସମ୍ପଦସମୃଦ୍ଧ ଦକ୍ଷିଣ ଆଫ୍ରିକା ଦେଶଗୁଡ଼ିକ ଗସ୍ତ କରିଥିଲେ । ଗସ୍ତକାଳରେ ସ୍ଵାସ୍ଥ୍ୟସେବା, ଡିଜିଟାଲ୍ ଭିଭିଭୂମି ଏବଂ କ୍ଷମତା ସୁଦୃଢ଼ୀକରଣ ଦିଗରେ ଗୁରୁତ୍ଵପୂର୍ଣ ଉପଲବ୍ଧ ହାସଲ ହୋଇଛି । ଆଫ୍ରିକା ସହିତ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା କ୍ଷେତ୍ରରେ ଏବଂ ନାମିବିୟାର ସାମଗ୍ରିକ ବିକାଶ କ୍ଷେତ୍ରରେ ଭାଗିଦାରିତା ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିଛି ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୱିଣ୍ଡ୍‌ହୋକ୍‌ରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ଵାଗତ କରିବା ସହ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଏବଂ ବିଦେଶରେ ଭାରତୀୟ ସଂସ୍କୃତିର ସଂରକ୍ଷଣ କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୱିଣ୍ଡହୋକରେ ରହଣି ସମୟରେ ନାମିବିୟାର ପ୍ରତିଷ୍ଠାତା ସାମ ନୁକୋମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତ-ନାମିବିୟା ସମ୍ପର୍କକୁ ସୁଦୃଢ଼ କରିବା କ୍ଷେତ୍ରରେ ସ୍ୱୀକୃତି ପ୍ରଦାନପୂର୍ବକ ଶ୍ରୀ ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *