୫୫ ନଂ ଜାତୀୟ ରାଜପଥରେ ପୁଣି ମୃତ୍ୟୁର ତାଣ୍ଡବ, ଟ୍ରକ୍ ଧକ୍କାରେ ଚାଲିଗଲା ରାହୁଲଙ୍କ ଜୀବନ
ଅନୁଗୋଳ: ୫୫ ନଂ ଜାତୀୟ ରାଜପଥ ପୁଣି ନେଇଛି ଆଉ ଏକ ନିରୀହ ଜୀବନ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢ଼ାପଙ୍କ ଗ୍ରାମ ନିକଟରେ ଟ୍ରକ୍ ଧକ୍କାରେ ଜଣେ ଯୁବ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗ୍ରାମର ରାହୁଲ ମହାନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ ରାହୁଲ କୌଣସି କାମରେ ବଅଁରପାଳ ଛକକୁ ଆସିଥିଲେ। କାମ ଶେଷ କରି ବାଇକ୍ରେ ଘରକୁ ଫେରୁଥିବା ବେଳେ ବୁଢ଼ାପଙ୍କ ଗ୍ରାମ ଗେଟ୍ ସମ୍ମୁଖରେ ଏକ ଟ୍ରକ୍ ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ, ଟ୍ରକ୍ଟି ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାହୁଲଙ୍କ ଜୀବନ ଦୀପ ଲିଭିଯାଇଥିଲା।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ପୁଣିଥରେ ୫୫ ନଂ ଜାତୀୟ ରାଜପଥର ସୁରକ୍ଷା ବ୍ୟବସ୍ଥା ଓ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ରାଜପଥରେ ଲଗାତାର ଘଟୁଥିବା ଦୁର୍ଘଟଣା କେବେ ରୋକାଯିବ, ତାହା ଏବେ ବଡ଼ ପ୍ରଶ୍ନ।
