Spread the love

୫.୯ ତୀବ୍ରତାର ଭୂମିକମ୍ପରେ ଥରିଲା ଟୋକିଓ: ୨୩ ଆହତ

ଟୋକିଓ: ରବିବାର ସକାଳେ ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଲା ପୂର୍ବ ଜାପାନ। ରିକ୍ଟର ସ୍କେଲରେ ୫.୯ ତୀବ୍ରତାର ଏହି ଭୂମିକମ୍ପର ଝଟକା ଟୋକିଓ ସମେତ ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ହଠାତ୍ ଭୂମିକମ୍ପରେ ଆତଙ୍କିତ ହୋଇପଡ଼ିଥିଲେ ଲୋକେ। ଘଟଣାରେ ଅତିକମରେ ୨୩ ଜଣ ଆହତ ହୋଇଥିବା ବେଳେ ଅଧିକାଂଶଙ୍କ ଅବସ୍ଥା ସାମାନ୍ୟ ଥିବା ଜଣାପଡ଼ିଛି।

ଜାପାନ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ, ଦକ୍ଷିଣ ଇବାରାକି ପ୍ରିଫେକ୍ଚର ନିକଟରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ଗଭୀରରେ ଏହାର ଉତ୍ପତ୍ତି ହୋଇଥିଲା। ଆମେରିକାର USGS ପ୍ରାରମ୍ଭିକ ଭାବେ ଭୂମିକମ୍ପର ତୀବ୍ରତା ୫.୮ ବୋଲି ରେକର୍ଡ କରିଛି।

ସୂଚନା ଅନୁସାରେ, ସାଇତାମା ଓ କାନାଗାୱାରେ ୯ ଜଣ ଲେଖାଏଁ, ଚିବାରେ ୪ ଜଣ ଏବଂ ଇବାରାକିରେ ଜଣେ ଆହତ ହୋଇଛନ୍ତି। ଅଧିକାଂଶ ଲୋକ ଭୋର ସମୟରେ ଶୋଇଥିବାରୁ ହଠାତ୍ ଝଟକାରେ ବିଛଣାରୁ ପଡ଼ିଯାଇ କିମ୍ବା ଘରର ଫର୍ଣ୍ଣିଚର ଓ ଦ୍ୱାରରେ ଧକ୍କା ଖାଇ ଆହତ ହୋଇଥିବା ଜଣାପଡ଼ିଛି। ୟୋକୋହାମାରେ ଜଣେ ୮୦ ବର୍ଷୀୟା ମହିଳା ବିଛଣାରୁ ପଡ଼ି ଅଣ୍ଟାରେ ଆଘାତ ପାଇଥିବା ସୂଚନା ମିଳିଛି।

ଭୂମିକମ୍ପର ପ୍ରଭାବରେ ଯାତାୟାତ ବ୍ୟବସ୍ଥା ମଧ୍ୟ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ଟୋକିଓରୁ ନାରିତା ବିମାନବନ୍ଦର ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍ ସେବାରେ ବାଧା ସୃଷ୍ଟି ହୋଇଥିବା ବେଳେ ଉତ୍ତର-ପୂର୍ବ ଜାପାନର କିଛି ଲୋକାଲ୍ ଟ୍ରେନ୍ ମଧ୍ୟ ବିଳମ୍ବିତ ହୋଇଥିଲା। ତେବେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ସ୍ୱାଭାବିକ ରହିଥିଲା।

ଭୂମିକମ୍ପ ଝଟକାରେ ପୂର୍ବ ଟୋକିଓର କୋଟୋ ୱାର୍ଡରେ ଭୂତଳ ଜଳ ପାଇପ୍ ଫାଟିଯିବାରୁ ରାସ୍ତାରେ ପାଣି ଜମିଥିଲା। ପରେ କର୍ମଚାରୀମାନେ ମରାମତି କରି ପାଣି ଲିକ୍‌ ବନ୍ଦ କରିଥିଲେ।

ଏପଟେ ଭୂମିକମ୍ପ ଯୋଗୁଁ ଟୋକିଓର ପ୍ରାୟ ୪୬୦ ଘରରେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଥିଲା। ତେବେ ରବିବାର ସକାଳ ସୁଦ୍ଧା ବିଦ୍ୟୁତ୍‌ ସେବା ପୁନଃସ୍ଥାପିତ ହୋଇଥିବା ଟେପକୋ ପାୱାର ଗ୍ରୀଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଭୂମିକମ୍ପ ପରେ ମୋବାଇଲ୍ ଫୋନ୍‌ରେ ଜରୁରୀକାଳୀନ ସତର୍କ ସୂଚନା ଜାରି ହୋଇଥିଲା। ଟୋକିଓ ସହ ମିଟୋ ଓ ସାଇତାମାରେ ମଧ୍ୟ ତୀବ୍ର ଝଟକା ଅନୁଭୂତ ହୋଇଥିଲା। ତେବେ ବଡ଼ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ ଏବଂ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ।

ପରିସ୍ଥିତି ଉପରେ ନଜର ରଖିବା ସହ ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଜାପାନ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍‌ ଏବଂ ଆବଶ୍ୟକ ସହାୟତା ବ୍ୟବସ୍ଥା ଉପରେ ପ୍ରଶାସନ ନଜର ରଖିଛି।

Leave a Reply

Your email address will not be published. Required fields are marked *