ଓଡ଼ିଶା କ୍ୟାବିନେଟ୍ ଦ୍ବାରା ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ପାଇଁ ₹୪୫୦ କୋଟି ବ୍ୟୟ ଅଟକଳରେ ‘ଦକ୍ଷତା ବିକାଶ ଯୋଜନା’ କୁ ମଞ୍ଜୁରୀ
ଭାରତ ତଥା ବିଦେଶରେ ଉଦୀୟମାନ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ସହ ସେମାନଙ୍କର ନିଯୁକ୍ତିଯୋଗ୍ୟତାକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ଆଜି ‘ଦକ୍ଷତା ବିକାଶ ଯୋଜନା’କୁ ଅନୁମୋଦନ କରିଛି। ଏହା ଏକ ପ୍ରମୁଖ ଦକ୍ଷତା ବିକାଶ ଯୋଜନା, ଯାହା ପାଇଁ ୨୦୨୬-୨୭ ରୁ ୨୦୨୮-୨୯ ଅବଧି ନିମନ୍ତେ ₹୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁରୂପ ଦକ୍ଷତା ପ୍ରଶିକ୍ଷଣ, ଡିଜିଟାଲ୍ ସ୍କିଲିଂ, ବିଦେଶ ନିଯୁକ୍ତି ସହାୟତା ଏବଂ ଅନୁଷ୍ଠାନିକ ସୁଦୃଢ଼ୀକରଣ ପ୍ରଦାନ କରି ଉପକୃତ କରାଯିବ।
ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର ଉଦ୍ଦେଶ୍ୟ ଅନୁଯାୟୀ ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶକୁ ସମନ୍ୱିତ କରିବା ଏହି ଯୋଜନାର ଏକ ପ୍ରମୁଖ ଲକ୍ଷ୍ୟ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ସ୍କିଲ୍ ହବ୍’ (Skill Hubs) ସ୍ଥାପନ କରାଯିବ, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନିୟମିତ ପାଠ୍ୟକ୍ରମ ସହିତ ନିଯୁକ୍ତି-ଭିତ୍ତିକ ତଥା NSQF-ଅନୁମୋଦିତ କୋର୍ସ ପ୍ରଦାନ କରାଯିବ। ଏହାଦ୍ୱାରା ସେମାନେ ଉଚ୍ଚଶିକ୍ଷା ହାସଲ କରିବା ସମୟରେ ଶିଳ୍ପ-ଉପଯୋଗୀ ଦକ୍ଷତା ଅର୍ଜନ କରି ନିଜର ନିଯୁକ୍ତି ସୁଯୋଗ ବୃଦ୍ଧି କରିପାରିବେ।
ଆନ୍ତର୍ଜାତୀୟ ଶ୍ରମ ବଜାରରେ ଦକ୍ଷ ଶ୍ରମିକମାନଙ୍କର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହି ଯୋଜନା ଓଡ଼ିଶାର ବୈଦେଶିକ ନିଯୁକ୍ତି ପଦକ୍ଷେପକୁ ବ୍ୟାପକ ଭାବେ ସମ୍ପ୍ରସାରିତ କରିବ। ଏହି କାର୍ଯ୍ୟକ୍ରମ ଅଧୀନରେ ଜର୍ମାନ ଏବଂ ଜାପାନୀ ଭଳି ବିଦେଶୀ ଭାଷା ଶିକ୍ଷା ପ୍ରଦାନ ସହିତ ସାଂସ୍କୃତିକ ଅନୁକୂଳନ, ପ୍ରମାଣପତ୍ର ସହାୟତା, ଭିସା ସହାୟତା, ଯାତ୍ରା ସହାୟତା ଏବଂ ନିଯୁକ୍ତି ପରବର୍ତ୍ତୀ ସେବା ଯୋଗାଇ ଦିଆଯିବ।
ଏହି ଯୋଜନା ଅଧୀନରେ ୧.୧୭ ଲକ୍ଷ ଯୁବକ-ଯୁବତୀଙ୍କୁ ନିଯୁକ୍ତି-ଭିତ୍ତିକ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ଏବଂ ୩ ଲକ୍ଷ ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI), କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ତଥା ସାଇବର ସୁରକ୍ଷା ଭଳି ଉଦୀୟମାନ କ୍ଷେତ୍ରରେ ଡିଜିଟାଲ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଏଥିସହ ଦିବ୍ୟାଙ୍ଗ ବ୍ୟକ୍ତି, କାରାଗାର ଅନ୍ତେବାସୀ, ତୃତୀୟ ଲିଙ୍ଗୀ (ଟ୍ରାନ୍ସଜେଣ୍ଡର) ଏବଂ ବିଶେଷ ଭାବେ ଅସୁରକ୍ଷିତ ଜନଜାତି ସମୂହ (PVTG) ଭଳି ସମ୍ବେଦନଶୀଳ ଓ ବଞ୍ଚିତ ବର୍ଗଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଯୋଜନାରେ ସହାୟତା ପ୍ରଦାନ କରାଯିବ।
କ୍ୟାବିନେଟ୍ ‘ମୁଖ୍ୟମନ୍ତ୍ରୀ ସ୍କିଲ୍ ଡେଭଲପମେଣ୍ଟ ଫେଲୋସିପ୍’ର ନିରନ୍ତରତାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି, ଯାହା ଅଧୀନରେ ଜିଲ୍ଲାସ୍ତରରେ ଚାହିଦା ଆକଳନ, ଦକ୍ଷତା ଅନ୍ତର (Skill Gap) ଚିହ୍ନଟ ଏବଂ ଶିଳ୍ପ ସହଭାଗିତା ଆଦି କାର୍ଯ୍ୟରେ ସହଯୋଗ କରିବା ପାଇଁ ୪୦ ଜଣ ଫେଲୋ ନିୟୋଜିତ ହେବେ। ପ୍ରାର୍ଥୀମାନଙ୍କର ସମ୍ପୂର୍ଣ୍ଣ ଟ୍ରାକିଂ ଏବଂ ଦକ୍ଷତା ବିକାଶର ଫଳାଫଳ ଉପରେ ନଜର ରଖିବା ପାଇଁ ଏକ ‘Skilled-in-Odisha Digital Hub’ ସ୍ଥାପନ କରାଯିବ।
‘ଦକ୍ଷତା ବିକାଶ ଯୋଜନା’ ଏକ ବ୍ୟାପକ ଏବଂ ଫଳାଫଳ-ଭିତ୍ତିକ ପଦକ୍ଷେପ, ଯାହା ଗୁଣାତ୍ମକ ପ୍ରଶିକ୍ଷଣ, ପ୍ରଯୁକ୍ତି-ଭିତ୍ତିକ ଶିକ୍ଷଣ ଏବଂ ଶିଳ୍ପ ସହଭାଗିତାକୁ ଏକତ୍ରିତ କରେ। ଏହି ଯୋଜନା ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତିଯୋଗ୍ୟତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ‘ବିକଶିତ ଓଡ଼ିଶା ୨୦୩୬’ର ଲକ୍ଷ୍ୟ ଅନୁଯାୟୀ ଏକ ଦକ୍ଷ, ଭବିଷ୍ୟତ-ପ୍ରସ୍ତୁତ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗୀ କାର୍ଯ୍ୟକ୍ଷମ ମାନବ ସମ୍ବଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
